ଭବାନୀପାଟଣା: ତନ୍ତ୍ର ପରମ୍ପରାର ଅନନ୍ୟ ପୀଠ କଳାହାଣ୍ଡି ବାସି ଙ୍କ ଆରାଧ୍ୟା ଦେବୀ ମାଁ ମାଣିକେଶ୍ଵରୀଙ୍କ ବାର୍ଷିକ ଛତର ବିଜୟ ଯାତ୍ରା ସୋମବାର ସମ୍ପନ୍ନ ହୋଇଛି। ଗତ ମହାଷ୍ଟମୀ ତିଥି ମଧ୍ୟ ରାତ୍ରରେ ମନ୍ଦିରରେ ସନ୍ଧି ପୂଜା କରାଯାଇଥିଲା। ପରେ ନିଶାର୍ଦ୍ଧରେ ମାଁଙ୍କ ପ୍ରତୀକ ଛତରକୁ ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା। ସେଠାରେ ବିଧି ମତେ ପୂଜାର୍ଚ୍ଚନା ପରେ ଭୋର ୫ ଟା ରେ ମାଁ ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଥିଲା। ରାସ୍ତାରେ ବହୁ ଭକ୍ତ ମାଁ ଙ୍କ ଦର୍ଶନ କରି ହାରି ଗୁହାରି କରିଥିଲେ। ବର୍ଷତମାମ ମନ୍ଦିରରେ ପୂଜା ପାଉଥିବା ମାଁ ଦିନଟିଏ ପାଇଁ ଭକ୍ତଙ୍କ ଗହଣ କୁ ଆସିଥିଲେ। ଏଣୁ ସୋମବାର ବଡି ଭୋରରୁ ଭବାନୀପାଟଣାର ରାଜରାସ୍ତାରେ ଭକ୍ତଙ୍କ ଭିଡ ଲାଗିଥିଲା। କିଏ ମୁଆଁ, ନଡ଼ିଆ, କଦଳୀ ଦେଇ ମାଁ ଙ୍କୁ ପୂଜା କରିଥିଲେ ତ ଆଉ କିଏ ପାରା ଉଡାଇଥିଲେ। ମାନସିକଧାରୀ ମାନେ କୁକୁଡ଼ା , ଛେଳି ବଳି ଦେଇଥିଲେ। ଜେନା ଖାଲ ରୁ ମନ୍ଦିର ଯାଏଁ ରାଜପଥ ରେ ବହୁ ସଂଖ୍ୟାରେ ବଳି ପଡ଼ିଥିବାରୁ ତମାମ ରାସ୍ତା ର ଦୁଇପଟେ ରକ୍ତ ରଞ୍ଜିତ ହୋଇଥିଲା। ଆସ୍ଥା ଆଗରେ ଆଇନ ହାର ମାନିଥିଲା। ସୋମବାର ଭୋର ୫ ଟା ରୁ ଜେନା ଖାଲ ରୁ ବାହାରିଥିବା ମାଁ ସକାଳେ ପ୍ରାୟ ୭ ଟା ୪୫ ରେ ମନ୍ଦିର ସିଂହଦ୍ୱାର ରେ ପହଞ୍ଚିଥିଲେ। ରାଜା ଙ୍କ ଅନୁପସ୍ଥିତିରେ ଯୁବରାଜ ଅଦ୍ଵୈତ କେଶରୀ ଦେଓ ମାଁ ଙ୍କ ଛତର କୁ ୮ ଟା ୫ ମିନିଟ ରେ ଗ୍ରହଣ କରି ପୂଜାର୍ଚ୍ଚନା କରିଥିଲେ। ପରେ ମାଁ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଥିଲେ। ମାଁ ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶାନ୍ତି, ଶୃଙ୍ଖଳା ର ସହ ଶେଷ ହୋଇଛି ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ସମ୍ପନ୍ନ ହେଲା ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା













Leave a Reply