ପୁରୀ : ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ପୁଲିସ କର୍ମଚାରୀଙ୍କ ସ୍ମୃତିରେ ଆଜି ପାଳିତ ହେଉଛି ୬୭ତମ ପୁଲିସ ସହିଦ ଦିବସ। ଏହି ଅବସରରେ ପୁରୀ ପୋଲିସ ରିଜର୍ଭ ପଡ଼ିଆରେ ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସହିଦ ପୁଲିସ କର୍ମଚାରୀଙ୍କ ନାମ ପାଠ କରିବା ସହ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।
ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ସାରା ଦେଶରେ ପୁଲିସ ସହିଦ ଦିବସ ଭାବେ ପାଳନ କରାଯାଏ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଚୀନ ସୈନିକଙ୍କ ସହ ମୁକାବିଲା ସମୟରେ ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ସେହି ବୀର ଯବାନଙ୍କ ସ୍ମୃତିକୁ ମନେ ପକାଇବା ସହ ଦେଶ ପାଇଁ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ପୁରୀ ପୁଲିସ ରିଜର୍ଭ ପଡ଼ିଆରେ ଆୟୋଜିତ ୬୭ତମ ପୁଲିସ ସହିଦ ଦିବସ ସମାରୋହରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଗତବର୍ଷ କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଥିବା ପୁଲିସ କର୍ମଚାରୀଙ୍କ ନାମ ପାଠ କରିଥିଲେ। ଏଥିସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯାଇଥିଲା। ପରେ ସହିଦ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ସହିଦଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସେବାନିବୃତ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରିଥିଲେ। ଦେଶ ଓ ସମାଜର ସୁରକ୍ଷା ପାଇଁ ପୁଲିସ ବାହିନୀର ନିଷ୍ଠା, ସାହସ ଓ ବଳିଦାନକୁ ସ୍ମରଣ କରାଇଥିଲା ଏହି ସହିଦ ଦିବସ।
ସହିଦଙ୍କ ବଳିଦାନ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ବରଂ ଦେଶସେବା ଓ କର୍ତ୍ତବ୍ୟନିଷ୍ଠାର ଏକ ଅମର ପ୍ରେରଣା।













Leave a Reply