ନୂଆଦିଲ୍ଲୀ : ‘ତୁମେ(ଇ.ଡି.) ତୁମ ଉପରେ ନ୍ୟସ୍ତ ଦାୟିତ୍ୱ ତୁଲାଇଛ । ଏବେ ରାଜ୍ୟ ସରକାର ତାଙ୍କ ଦାୟିତ୍ୱ ତୁଲାଇବେ । ତୁମେ ଅପରାଧ ବିଷୟରେ ପ୍ରମାଣ ପାଇଛ । ଏ ନେଇ ଅଭିଯୋଗ ମଧ୍ୟ ଦାଖଲ କରିଛ । ଦଣ୍ଡବିଧାନକୁ ଅପେକ୍ଷା କର । ନିଜ ସୀମା ଭୁଲି ଅନ୍ୟର କାର୍ଯ୍ୟରେ ଅଯଥା ଦଖଲ ଦିଅନାହିଁ । ଅନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଉପରେ ନ୍ୟସ୍ତ ଦାୟିତ୍ୱ ଓ କାର୍ଯ୍ୟ ଭିତରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନା ।’ ଏପରି ଶବ୍ଦରେ ବୁଧାବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ତାଗିଦ କରିଛନ୍ତି ସୁପ୍ରମିକ କୋର୍ଟ । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ମାମଲାରେ ବୁଧବାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଜୋୟମାଲ୍ୟ ବାଗ୍ଚି ନିଜ ରାୟରେ ଏକଥା କହିଛନ୍ତି । ସୁପ୍ରିମ କୋର୍ଟ ଏହି ମର୍ମରେ କେରଳ ହାଇକୋର୍ଟଙ୍କ ଅକ୍ଟୋବର ୯ ଆଦେଶ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିବା ସହ ହାଇକୋର୍ଟଙ୍କ ଉକ୍ତ ଆଦେଶ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ମାମଲା ଦାୟର ପାଇଁ ଆବେଦନକାରୀଙ୍କୁ ୭ ଦିନ ସମୟ ଦେଇଛନ୍ତି ।
ଜଷ୍ଟିସ ବାଗଚି ଓ ଜଷ୍ଟିସ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ଏହି ଘଟଣାକୁ ନେଇ ରୁଜୁ କରାଯାଇଥିବା ଏଫଆଇଆରକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଗଲା । ଏହାର ଅର୍ଥ ନୁହେଁ ଯେ ଏଫଆଇଆର ବିରୁଦ୍ଧରେ ରହିତାଦେଶ ଜାରି କରାଗଲା, ବରଂ ପିଟିସନରଙ୍କୁ ସମୟ ଦେବାକୁ ମାତ୍ର ୭ ଦିନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଜୟନ ଏବଂ ତାଙ୍କ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।
ଉଲ୍ଲେଖଯୋଗ୍ୟ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ, ତାଙ୍କ ଝିଅ ଭିନା ଟି ଏବଂ ଜ୍ୱାଇଁଙ୍କ ବିରୁଦ୍ଧରେ ଇଡି ପକ୍ଷରୁ ଆର୍ଥିକ ହେରଫେର ଏବଂ ଘୋଟାଲାର ଅଭିଯୋଗ ଅଣାଯାଇଥିଲା । ଭିଜୟନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଝିଅ ଜ୍ୱାଇଁଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ଏକ୍ସାଲଜିକ ସଲ୍ୟୁସନ ପ୍ରାଇଭେଟ ଲିମିଟେଡକୁ ସରକାରୀ ପାଣ୍ଠିରୁ ପ୍ରାୟ ୨.୭୮ କୋଟି ଟଙ୍କା ଅଯଥା ଅନୁଗ୍ରହ ପ୍ରଦାନ କରାଯାଇଥିଲା । ଏ ନେଇ ଇଡି ପକ୍ଷରୁ ରାଜ୍ୟ ପୁଲିସକୁ ଅବଗତ କରାଯିବା ପରେ ପିନାରାଇ ଓ ତାଙ୍କ ପରିବାର ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଆଇନଜୀବୀ କେ.ଏମ. ଶାହାଜାହାନ ହାଇକୋର୍ଟରେ ଆବେଦନ କରିଥିଲେ । କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗତ ଅକ୍ଟୋବର ୯ ତାରିଖରେ ଏଫଆଇଆର ରୁଜୁ କରିବାକୁ ପୁଲିସକୁ ଅନୁମତି ଦେଇଥିଲେ । ଯାହାଫଳରେ ପିନାରାଇଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଥିଲା । ଆସନ୍ତା ଅକ୍ଟୋବର ୨୩ ତାରିଖରେ ଇଡି କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଇଡି ପକ୍ଷରୁ ଏହି ୮୧ ବର୍ଷୀୟ କମ୍ୟୁନିଷ୍ଟ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଇକୋର୍ଟଙ୍କ ରାୟ ଓ ଇଡିର ଏହି ନିର୍ଦ୍ଦେଶ ବିରୁଦ୍ଧରେ ପିନାରାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଇ.ଡି.କୁ ସୁପ୍ରିମ କୋର୍ଟଙ୍କ କଡା ଚେତାବନୀ : ନିଜ ସୀମା ଭିତରେ ରୁହ















Leave a Reply