ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ୨୦ ପୁଲିସ ଅଧିକାରୀଙ୍କୁ ଅପହରଣ

ଇସଲାମାବାଦ୍‌: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ କେତେକ ଅଜ୍ଞାତ ବନ୍ଧୁକଧାରୀ ୨୦ଜଣ ପୁଲିସ ଅଧିକାରୀଙ୍କୁ ଅପହରଣ କରି ନେଇଥିବା ଜଣାପଡ଼ିଛି। ପାକିସ୍ତାନ ପୁଲିସ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ପ୍ରଦାନ କରାଯାଇଥିବା ସୂଚନାନୁଯାୟୀ ଏହି ୨୦ଜଣ ପୁଲିିସ ଅଧିକାରୀ କାଲ୍‌ଟା କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିଲେ। ଶନିବାର ସେମାନେ କାଲ୍‌ଟାରୁ ନୁସ୍‌କି ଅଭିମୁଖେ ଏକ ଘରୋଇ ଗାଡ଼ିରେ ଯାତ୍ରା କରୁଥିବା ବେଳେ ବାଟରୁ ସେମାନଙ୍କୁ କେତେକ ଅଜ୍ଞାତ ବନ୍ଧୁକଧାରୀ ଅପହରଣ କରି ନେଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ପୁଲିସ ତରଫରୁ ଉଦ୍ୟମ ଜାରି ରହିଛି। ଏହି ଅପହରଣ ଘଟଣା ପଛରେ ବଲୁଚିସ୍ତାନ ଲିବରେସନ୍‌ ଆର୍ମିର ହାତ ଥିବା ସନ୍ଦେହ କରଯାଉଛି। ବଲୁଚିସ୍ତାନ ଲିବରେସନ୍‌ ଆର୍ମି କ୍ରମାଗତ ଭାବେ ପାକିସ୍ତାନ ପୁଲିସ ଓ ସେନା ଉପରେ ଆକ୍ରମଣ କରୁଛି। ଅନ୍ୟ ଏକ ଘଟଣାରେ କ୍ବିଲା ଅବଦ୍ଦୁଲା ଜିଲାରେ ଥିବା ଏକ ଖାଲି ପୁଲିସ ପୋଷ୍ଟକୁ ଜଣେ ଅଜ୍ଞାତ ବ୍ୟକ୍ତି ଭାଙ୍ଗିରୁଜି ଦେଇଥିବା ଜଣାପଡ଼ିଛି। ସେ କେଉଁ ଉଦ୍ଦେଶ୍ୟରେ ଏପରି କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ସଂପୃକ୍ତ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *