ଶୋଭନୀୟ କନ୍ୟା କେନ୍ଦ୍ରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

ଭୁବନେଶ୍ୱର : ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଅବସ୍ଥିତ ଶୋଭନୀୟ କନ୍ୟା କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ବାଳିକା ଦିବସ ଖୁବ ଧୂମଧାମ ଓ ବିପୁଳ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ଅଂଶଗ୍ରହଣକାରୀ ବାଳିକାମାନେ ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ କରିଥିଲେ। ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ଶୋଭନୀୟ ଶିକ୍ଷାନୁଷ୍ଠାନର ଶତାଧିକ ପ୍ରତିନିଧି ଭାଗ ନେଇଥିଲେ। ଏହି ଭବ୍ୟ ଉତ୍ସବକୁ କେନ୍ଦ୍ରକରି ବାଳିକା ମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ, ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା।
ସଭାକୁ ସମ୍ବୋଧନ କରି ଗୁରୁମା ଡଃ ଅରୁନ୍ଧତୀ ଦେବୀ ବାଳିକାମାନଙ୍କୁ ଶିକ୍ଷା ଗ୍ରହଣ କରିବା, ଆତ୍ମସମ୍ମାନ ବିକାଶ କରିବା,ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ ବନିବା ପାଇଁ ଆହ୍ୱାନ ଜଣାଇଥିଲେ। ସେମାନେ ନିଜର ବୈଧ ଅଧିକାର ସମ୍ପର୍କରେ ସଚେତନ ହେବା ସହିତ ନିଜକୁ ସଶକ୍ତ କରିବା ପାଇଁ କଠିନ ପରିଶ୍ରମ କରିବା ଦରକାର ତଥା ବାଲ୍ୟ ବିବାହ ଭଳି ଅବୈଧ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ଡଃ ଦେବୀ କହିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଜ୍ଞାନେନ୍ଦ୍ର ଶର୍ମା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ବୈଜ୍ଞାନିକ ତଥା ସମାଜସେବୀ ଡ଼ଃ ସୁବୋଧ ରାଉତରାୟ ଉପସ୍ଥିତ ଥିଲେ ।ପ୍ରାରମ୍ଭ ରେ ଶିକ୍ଷାଶ୍ରମର ଛାତ୍ରୀମାନେ ସମାଜରେ କନ୍ୟା ଶିଶୁର ମୂଲ୍ୟ ବିଷୟବସ୍ତୁ ଉପରେ ଆଧାରିତ “କନ୍ୟା ଆମର କଲ୍ୟାଣମୟୀ” ଶୀର୍ଷକ ଏକ ଚମତ୍କାର ସଙ୍ଗୀତ ପରିବେଷଣ କରିଥିଲେ। “କନ୍ୟା ଦିବସ” ବିଷୟରେ କବିତା ଓ ପ୍ରବନ୍ଧ ଲେଖା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରୀମାନଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା।
ଆୟୋଜକ ସମିତିର ବରିଷ୍ଠ ସଦସ୍ୟା ଗୀତାଞ୍ଜଳି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାଶ୍ରମର କର୍ମକର୍ତ୍ତା ବୃନ୍ଦ ଯଥା :- ମନୋରମା ଦେବୀ, ଉର୍ମିଳା ବେହେରା, କାଦମ୍ବିନୀ ପାତ୍ର, ବାସନ୍ତୀ କୁମାରୀ, ରାଜରାଣୀ ତ୍ରିପାଠୀ, ମାନସୀ ମଲ୍ଲିକ, ଅନୁଷ୍କା ଚୌଧୁରୀ, ମଧୁସ୍ମିତା ପଣ୍ଡା, ମାନିନୀ ରାଉତ, ଦୀପକ କୁମାର ଓ ଅମାନି ଜେନା ପ୍ରମୂଖଙ୍କର ସକ୍ରୀୟ ତତ୍ତ୍ୱାବଧାନରେ ଉତ୍ସବଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ବାଳିକା ମାନଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *