ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଦାବିରେ ଅହିଂସାତ୍ମକ ଆନ୍ଦୋଳନକୁ ୧୯୯ ଦିନ

ପୁରୀ,: -ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର, ସ୍ଥାୟୀ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାତ୍ମକ ଜନସଚେତନତା ପଦଯାତ୍ରା ଆଜି ୧୯୯ ଦିନରେ ପହଞ୍ଚିଛି। ଆସନ୍ତାକାଲି ଅକ୍ଟୋବର ୧୭ ତାରିଖରେ ଏହି ଅଭିଯାନ ୨୦୦ ଦିନ ପୂରଣ କରିବ। ଏପ୍ରିଲ ୧ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ସତ୍ୟାଗ୍ରହୀମାନେ ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ବାହାରି ସିଂହଦ୍ୱାରରେ ପହଞ୍ଚି ପତିତପାବନଙ୍କ ଦର୍ଶନ ସହ ପୁରୀବାସୀଙ୍କ ଦାବିର ନ୍ୟାୟସଙ୍ଗତ ସମାଧାନ ପାଇଁ ପ୍ରାର୍ଥନା କରୁଛନ୍ତି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ପୁରୀବାସୀଙ୍କ ଧାର୍ମିକ ଭାବନା ଓ ପରମ୍ପରାକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଆଲୋଚନା ଆରମ୍ଭ କରି ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ ବାହାର କରିବାକୁ ଆହ୍ୱାନ ଦେଇଛନ୍ତି।ପଦଯାତ୍ରୀ ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ନୁହେଁ; ବରଂ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ପ୍ରୟାସ। ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଘୋଷଣା ନହେବା ପର୍ଯ୍ୟନ୍ତ ଜନସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ଜାରି ରହିବ।ଶୁକ୍ରବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, କାହ୍ନୁଚରଣ ପ୍ରାଧାନ, ରମେଶ ଚନ୍ଦ୍ର ମହାନ୍ତି, ଜଗଦାନନ୍ଦ ରାୟ, ଅଭିମନ୍ୟୁ ରାୟଗୁରୁ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତି ରାୟ, ଅଞ୍ଜୁବାଳା ମହାନ୍ତି, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, ରଶ୍ମୀରଞ୍ଜନ ପାତ୍ର, ସୁବାସ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *