ଭୁବନେଶ୍ୱର ରାମ ମନ୍ଦିର ଠାରେ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଶସ୍ତ୍ର ପୂଜନ, ଆତ୍ମରକ୍ଷା କୌଶଳ ପ୍ରଦର୍ଶନ

ଭୁବନେଶ୍ୱର, ଅକ୍ଟୋବର ୧୬: ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା ଅବସରରେ ଶୁକ୍ରବାର ଦିନ ଭୁବନେଶ୍ୱରର ରାମମନ୍ଦିର ଛକଠାରେ ଭାରତ ରକ୍ଷା ମଞ୍ଚ (ବିଆରଏମ୍‌) ପକ୍ଷରୁ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାରହଜାର ଯୁବକ ପାରମ୍ପାରିକ ସାମରିକ ଓ ଶାସ୍ତ୍ରୀୟ ବସ୍ତ୍ର ପରିଧାନ କରି ଯୋଗଦେବା ସହ ଲାଠି ଓ ଖଣ୍ଡା ଆଦି ପାରମ୍ପରିକ ସାମରିକ ଅସ୍ତ୍ରଶସ୍ତ୍ର ଓ କଳା ପ୍ରଦର୍ଶନ କରିଥିଲେ।
ହିନ୍ଦୁ ସମାଜର ଅଧିକାର ସୁରକ୍ଷା, ଆତ୍ମରକ୍ଷା କୌଶଳର ପ୍ରସାର ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।
ଶସ୍ତ୍ର ପୂଜନ ପରେ ଯୁବକମାନେ ବିଭିନ୍ନ ଆତ୍ମରକ୍ଷା କୌଶଳ ଓ ପାରମ୍ପରିକ ଯୁଦ୍ଧକଳା ପ୍ରଦର୍ଶନ କରିଥିଲେ। ଏହା ପରେ ମଞ୍ଚ ପକ୍ଷରୁ ‘ସନାତନ ସଂସ୍କୃତି ରକ୍ଷା ଯାତ୍ରା’ ବାହାରିଥିଲା। ଏଥିରେ ସ୍ଥାନୀୟ ଯୁଦ୍ଧକଳା ଗୋଷ୍ଠୀ ଓ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।
ଭାରତ ରକ୍ଷା ମଞ୍ଚର ପ୍ରତିଷ୍ଠାତା ତଥା ଜାତୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲକର ଏହି ଯାତ୍ରାର ନେତୃତ୍ୱ ନେଇଥିଲେ। ମଞ୍ଚର ଜାତୀୟ ମହାସଚିବ ଡକ୍ଟର ଅଶୋକ ଆଚାର୍ଯ୍ୟଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ।
କେଲକର କହିଥିଲେ ଯେ ହିନ୍ଦୁ ସମାଜକୁ ନିଜର ସାମରିକ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ସଚେତନ କରିବା ସହ ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ରହିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଜାତୀୟ ଏକତାକୁ ଦୁର୍ବଳ କରୁଥିବା ଶକ୍ତିଗୁଡ଼ିକ ପ୍ରତି ସମାଜ ସଚେତନ ରହିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
ଡକ୍ଟର ଆଚାର୍ଯ୍ୟ କହିଥିଲେ ଯେ ଶସ୍ତ୍ର ପୂଜନ ପରମ୍ପରା ଆତ୍ମରକ୍ଷା ବ୍ୟବସ୍ଥାର ଏକ ଅଂଶ। ଏହା ଆମ ପୂର୍ବପୁରୁଷଙ୍କ ବୀରତ୍ୱ, ସ୍ୱାଭିମାନ ଓ ଆତ୍ମସମ୍ମାନର ସ୍ମୃତିକୁ ଉଜ୍ଜୀବିତ କରେ।
ଅନ୍ୟ ବକ୍ତାମାନେ ମଧ୍ୟ ଜାତୀୟ ଏକତା, ସାମାଜିକ ସଚେତନତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ ମଞ୍ଚର ଓଡ଼ିଶା ମହାସଚିବ ପୁରଞ୍ଜନ ପାଢ଼ୀ, ରାଜ୍ୟ ସଭାପତି ସୁବ୍ରତ ମିଶ୍ର, ଡକ୍ଟର ଗୌରବ ନାୟକ, ଡକ୍ଟର ଅଲେଖ ପଢିଆରୀ, ଶ୍ରୀରାମ ଦାଶ, ଡକ୍ଟର ଅରୁଣ ନାୟକ, ମନୋଜ ପଟ୍ଟନାୟକ, ଅନିଲ କୁମାର ମଲ୍ଲିକ, ମନୋଜ କୁମାର ଆଚାର୍ଯ୍ୟ, ଆଇନଜୀବୀ ସୁଭାଷ ଚନ୍ଦ୍ର ଜେନା, ଆଇନ ପ୍ରକୋଷ୍ଠ ଅଧ୍ୟକ୍ଷ ସୁଦାମ ଶତପଥୀ ଓ ଯୁବ ସମ୍ପର୍କ ପ୍ରତିନିଧି ରାଜେଶ ପୃଷ୍ଟିଙ୍କ ସମେତ ମଞ୍ଚର ମହିଳା ଓ ଛାତ୍ର ଶାଖାର କର୍ମକର୍ତ୍ତା ପ୍ରବାସିନୀ ପୃଷ୍ଟି ଓ ସ୍ମାରକ ପଣ୍ଡା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *