ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବର ଭବ୍ୟ ଆୟୋଜନ

ଭୁବନେଶ୍ୱର, ତା ୧୬.୧୦ ରିଖ ; ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ ଥର ପାଇଁ ‘ସ୍ୱଚ୍ଛତା ଉତ୍ସବ’ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ୱାର୍ଲ୍ଡ ଓଡ଼ିଶା ସୋସାଇଟି (ୱାଓସୋ) ଏବଂ ବି.ଏମ୍. ଫାଉଣ୍ଡେସନ (ବିଏମଏଫ) ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ବିଶ୍ୱକୁ ଅଧିକ ସ୍ୱଚ୍ଛ ଓ ସବୁଜ କରିବା ଲକ୍ଷ୍ୟରେ ଉଭୟ ସଂଗଠନ ପକ୍ଷରୁ ହାତକୁ ନିଆଯାଇଥିବା ସ୍ୱଚ୍ଛତା ଅଭିଯାନଗୁଡ଼ିକୁ ପ୍ରମୁଖତାର ସହ ଉପସ୍ଥାପନ କରାଯାଇଥିଲା।ଏହି ସମାବେଶରେ ଶତାଧିକ ସଂଖ୍ୟାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ସମୁଦାୟ ନେତୃବୃନ୍ଦ, ସମାଜସେବୀ, ସାମାଜିକ ଗଣମାଧ୍ୟମର ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ସ୍ୱେଚ୍ଛାସେବୀ, ଏବଂ ୱାଓସୋ ଓ ବିଏମଏଫର ପଦାଧିକାରୀ ତଥା ସଦସ୍ୟମାନେ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଶିଷ୍ଟ ଅତିଥି ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଓଡ଼ିଶା ରାଜ୍ୟ ବିଜେପିର ଉପସଭାପତି ଗୋଲକ ମହାପାତ୍ର, ୱାଓସୋର ପ୍ରତିଷ୍ଠତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ,ମହାସଚ୍ଚିବ ଶିବ ରଂଜନ ବିଶ୍ୱାଳ, ସାଧାରଣ ସମ୍ପାଦକ ଉମାକାନ୍ତ ଜେନା ଏବଂ କୁଏତ ଅଧ୍ୟାୟର ସଭାପତି ବିଶ୍ୱ ରଞ୍ଜନ ସାହୁ ମହାତ୍ମା ଗାନ୍ଧୀଙ୍କ ସମୟରୁ ଆରମ୍ଭ ହୋଇ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପର୍ଯ୍ୟନ୍ତ ଦେଶର ସ୍ୱଚ୍ଛତା ଅଭିଯାନର ଯାତ୍ରା ଉପରେ ଆଲୋକପାତ କରିଥିଲେ।
ମହାତ୍ମା ଗାନ୍ଧୀ ଭାରତରେ ସ୍ୱଚ୍ଛତାର ସଂସ୍କୃତିର ମୂଳଦୁଆ ପକାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନକୁ ଆହୁରି ଆଗକୁ ନେଇ ଏକ ଜାତୀୟ ଜନଆନ୍ଦୋଳନରେ ପରିଣତ କରିଛନ୍ତି ବୋଲି ସେମାନେ କହିଥିଲେ। ‘ସ୍ୱଚ୍ଛ ଭାରତ, ସମୃଦ୍ଧ ଭାରତ’ର ବାର୍ତ୍ତାକୁ ଦେଶର ପ୍ରତ୍ୟେକ ଘରେ ପହଞ୍ଚାଇବାରେ ଏହି ଅଭିଯାନ ସଫଳ ହୋଇଥିବା ସେମାନେ ମତବ୍ୟକ୍ତ କରିଥିଲେ। ଏଥିସହ ସମାଜରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ ୱାଓସୋ ଓ ବିଏମଏଫର ନିଷ୍ଠାପର ଉଦ୍ୟମକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।

ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋ ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ବିଶ୍ୱବ୍ୟାପୀ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଦିଗରେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବିଏମଏଫର ଅଧ୍ୟକ୍ଷ ଡକ୍ଟର ବ୍ରଜ ପଣ୍ଡା ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତାର ଉପଯୋଗିତା, ଆବଶ୍ୟକତା ଓ ଉପକାରିତାକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବା ‘ସ୍ୱଚ୍ଛତା ଉତ୍ସବ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇଥିଲେ।

ଏହି ଅବସରରେ ଅତିଥି ଓ ଅଂଶଗ୍ରହଣକାରୀମାନେ ସ୍ୱଚ୍ଛତାର ଶପଥ ଗ୍ରହଣ କରିଥିଲେ। ସେମାନେ ସ୍ୱାସ୍ଥ୍ୟକର ଓ ପରିଚ୍ଛନ୍ନ ଜୀବନଶୈଳୀ ଅନୁସରଣ କରିବା, ସର୍ବସାଧାରଣ ସ୍ଥାନଗୁଡ଼ିକୁ ସଫା ରଖିବା, ସବୁଜ ପରିବେଶର ସୁରକ୍ଷା କରିବା ଏବଂ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ସୁରକ୍ଷିତ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନେଇଥିଲେ।

ସମାଜରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ପରିବେଶକୁ ପରିଚ୍ଛନ୍ନ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ସବରେ ଗୋଟିଏ ଅନୁଷ୍ଠାନ ଓ ୧୭ ଜଣ ବ୍ୟକ୍ତିବିଶେଷଙ୍କୁ ‘ସ୍ୱଚ୍ଛତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ସମ୍ମାନିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ମଧ୍ୟରେର ହର୍ଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶିବ ପ୍ରସାଦ ମହାନ୍ତି, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଉତ୍କଳ ଗ୍ରୁପ୍‌ର ଅଧ୍ୟକ୍ଷ ସୁରେଶ ମିଶ୍ର, ଆଇଏମଟି ପୁରୀର ନିର୍ଦ୍ଦେଶକ ମନୋଜ ରଥ, ରୋଟାରୀର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ବିଶିଷ୍ଟ ଶିଳ୍ପଦ୍ୟୋଗୀ ପ୍ରଦ୍ୟୁମ୍ନ ଜେନା, କେନ୍ଦୁଝରର ବିଡିଓ ରାଜା ରଣଜିତ ପ୍ରତାପ ବଳ, ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଧୀର କୁମାର ଦାଶ, ଭୁବନେଶ୍ୱର ସିଜିଏଚଏସ ର ସିଏମଓ ଡକ୍ଟର ସନ୍ତୋଷ କୁମାର ସାହୁ, ଉଦ୍ୟୋଗପତି ପ୍ରିୟରଞ୍ଜନ ପଟ୍ଟନାୟକ, କେୟାର ସିକ୍ୟୁରିଟିର ପ୍ରତିଷ୍ଠାତା ମହେଶ୍ୱର ମହାନ୍ତି, ଲୁମିନସ ଇନ୍‌ଫୋୱେଜ , କାନନ ବିହାର ଲେଡିଜ୍ ଫୋରମ୍‌ର ସଭାପତି ସୁଭଶ୍ରୀ ଦାସ, ଭୁବନେଶ୍ୱର ସ୍ପେଶାଲ୍ ସର୍କିଟ୍ ହାଉସ୍‌ର ପରିଚାଳକ ଅରକ୍ଷିତ ମଲ୍ଲିକ, କୋରାପୁଟ ସର୍କିଟ୍ ହାଉସ୍‌ର ପରିଚାଳକ ପ୍ରମୋଦ କୁମାର ସାବତ, ବିଏମସି ୱାର୍ଡ ନଂ. ୨୩ର କର୍ପୋରେଟର କିରଣବାଳା ମାଝୀ, ବିଶାଖାପାଟଣା ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକ ଏବଂ ଯୁବ ସମାଜସେବୀ ପ୍ରବୋଧ ସାମନ୍ତରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

କାର୍ଯ୍ୟକ୍ରମ ଶେଷରେ ବି.ଏମ୍. ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସମ୍ପାଦିକା ମୀରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ମିଶି କୁଇନ ପଣ୍ଡା ସୁଚାରୁ ରୂପେ ସଂଚାଳନା କରିଥିଲେ।
ନନ୍ଦନ ଦ୍ୱିବେଦୀ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ନିଜର ଅନେକ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Leave a Reply

Your email address will not be published. Required fields are marked *