ଷୋଳପୂଜା ପାଇଁ କମ୍ପୁଛି ଆଲାମଚଣ୍ଡୀ ପୀଠ

ପୁରୀ: – ଶ୍ରୀକ୍ଷେତ୍ରକୁ ଜଗିଛନ୍ତି ଅଷ୍ଟଚଣ୍ଡୀ । ଶ୍ରୀକ୍ଷେତ୍ରର ପ୍ରବଶ ପଥ ଅଠରନଳା ନିକଟରେ ରହିଛନ୍ତି ମା ଆଲାମଚଣ୍ଡୀ । ବାଜୁଛି ଘଣ୍ଟ,ଘଣ୍ଟା ଷୋଳପୂଜା ଓ ଚଣ୍ଡୀପାଠରେ କମ୍ପୁଛି ପୀଠ । ଗଜପତି ମହାରାଜା ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବରଣ ପରେ ମା ଆଲାମଚଣ୍ଡୀ ପୀଠରେ ସଂଧ୍ଯାରୁ ଆରମ୍ଭ ହେଉଛି ଚଣ୍ଡୀପାଠ । ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପୀଠ ପରିସର । ସକାଳ ଓ ସଂଧ୍ଯାରେ ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଷୋଳପୂଜା ପାଇଁ ସଜେଇ ହୋଇଛି ମନ୍ଦିର । ମନ୍ଦିର ରଙ୍ଗ ହେବା ସହ ଭିତରେ ପାର୍ଶ ଦେବାଦେବୀଙ୍କୁ ରଙ୍ଗ କରାଯାଇଛି । ମନ୍ଦିରରେ ମା’ଙ୍କ ନୀତିକାନ୍ତି ଯଥାବିଧି ଚାଲୁରହିଛି । ଦୈନନ୍ଦିନ ନୀତି ମଧ୍ୟରେ ଦ୍ବାରଫିଟା, ମଙ୍ଗଳଆଳତି, ବେଶ,ମାଜଣା ପରେ ଅନ୍ଯାନ୍ଯ ନୀତି ଅନୁଷ୍ଠିତ ହେଉଛି । ମଧ୍ୟାହ୍ନଧୂପରେ ଶ୍ରୀମନ୍ଦିରରୁ ଆସିଥିବା ଶୁଖିଲି ମହାପ୍ରସାଦ ସମର୍ପଣ କରାଯାଉଛି । ସଂଧ୍ଯା ସମୟରେ ସଂଧ୍ଯା ଆଳତି ହୋଇ ରାତି ଦଶଟାରେ ପହୁଡ କରାଯାଉଛି । ପାର୍ଶ୍ବ ଦେବାଦେବୀଙ୍କ ମଧ୍ଯରେ ମା ଭୁବନେଶ୍ଵରୀ, ମା ବଗଲାମୁଖୀ, କାଳୀ, ତାରା, ବତୀ,ଭୈରବୀ, ଛିନ୍ନମସ୍ତା, ମାତାଙ୍ଗୀ, କମଳା,ଷୋଡଶୀ,ମା ଧୂମାବତୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଷୋଳପୂଜାରେ ମା ମାତଙ୍ଗୀ, ଭୈରବୀ ,ମହାକାଳୀ,ମହାସରସ୍ଵତୀ ମହାଲକ୍ଷ୍ମୀ,ମହିଷାସୁର, ସୁନାବେଶ ଓ ଦୁର୍ଗା ବେଶରେ ଦର୍ଶନ ଦେବେ । ଷୋଳପୂଜାରେ ମାଙ୍କ ପୀଠରେ ଆମିଷ ଭୋଗ ହେବା ସହ ମହାସପ୍ତମୀ, ମହାଷ୍ଟମୀ ଓ ନବମୀରେ ଆମିଷ ଭୋଗ ମଧ୍ଯ କରାଯାଇଥାଏ । ମାଙ୍କ ପ୍ରିୟ ପୋଡାମାଛ ବଳି । ରାତି ଶଙ୍ଖୁଡି ଭୋଗରେ ଅନ୍ନ,ଖେଚୁଡି, ଡାଲି,ଡାଲମା, ମାଛ ବେସର,ଖଟା,ଖିରି ଭୋଗ କରାଯାଇଥାଏ । ରାତ୍ର ପହୁଡରେ ମାଙ୍କ ନିକଟରେ ମହାପ୍ରସାଦ ସମର୍ପଣ ହୁଏ । ମୁଖ୍ଯ ପୂଜକ କୃଷ୍ଣଚନ୍ଦ୍ର ପାଢୀ, ସୁରେନ୍ଦ୍ର ପାଢୀ ଓ ସୂର୍ଯ୍ୟନାରାୟଣ ପାଢୀ ପୂଜାର୍ଚ୍ଚନା କରୁଥିବା ବେଳେ ଦିଲ୍ଲୀପ କୁମାର ପାଢୀ,ସ୍ମୃତିରଞ୍ଜନ ପାଢୀ, ସତ୍ଯରଞ୍ଜନ ଦାଶ ମଧ୍ଯ ସହଯୋଗ କରୁଛନ୍ତି । ବୁନୁ ଷଡଙ୍ଗୀଙ୍କ ଚଣ୍ଡୀପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଧୂପଦୀପ ଝୁଣାରେ ମହକୁଛି ମା’ଙ୍କ ମନ୍ଦିର । ସକାଳ ଓ ସଂଧ୍ଯାରେ ପୀଠରେ ଷୋଡଶ ଉପଚାର ପୂଜା ସହ ମାଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଭକ୍ତ ।

Leave a Reply

Your email address will not be published. Required fields are marked *