ପୁରୀ: – ଶ୍ରୀକ୍ଷେତ୍ରରେ ଥିବା ଅଷ୍ଟଚଣ୍ଡୀ ମାନଙ୍କ ମଧ୍ଯରୁ ମା ମରିଚେଇ ଠାକୁରାଣୀ ଅନ୍ଯତମ । ଶ୍ରୀମନ୍ଦିର ନିକଟ ମରିଚିକୋଟ ଛକରେ ମା’ଙ୍କ ମନ୍ଦିର । ମା ଅଷ୍ଟଭୁଜା । ମା’ଙ୍କ ହସ୍ତରେ ଖଡ୍ଗ, ଶଙ୍ଖ,ଅଙ୍କୁଶ, ଜପମାଳ,ଗଦା ଚକ୍ର, ତ୍ରିଶୂଳ ଓ ପାନପାତ୍ର ଧାରଣ କରି ଶୋଭା ପାଉଛନ୍ତି । ମା ପରମ ବୈଷ୍ଣବୀ । ସେଥିପାଇଁ ଆମିଷ ଭୋଗ ହୁଏ ନାହିଁ । କେବଳ ଆଶ୍ବିନ ମାସ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ମନ୍ଦିରରେ ଥିବା ପାର୍ଶ୍ବ ଦେବୀ ଛାୟା ମାୟାଙ୍କୁ ଆମିଷ ଭୋଗ କରାଯାଇଥାଏ । ଆଶ୍ବିନ ମାସ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ମାଙ୍କ ର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ବନଦୁର୍ଗା,ଗଜଲକ୍ଷ୍ମୀ,ସିଂହବାହିନୀ,ରାଜରାଜେଶ୍ଵରୀ,ମହାସରସ୍ଵତୀ,ଓ ଭୁବନେଶ୍ଵରୀ ବେଶ ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀରେ ମହାଗାୟତ୍ରୀ, ମହାଷ୍ଟମୀରେ ମହିଷାମର୍ଦ୍ଦିନୀ, ମହାନବମୀରେ କାଳୀ ବେଶ ଅନୁଷ୍ଠିତ ହେବ । ଆଜି ସୋମବାର ମାଙ୍କ ମହାଗୌରୀ ବେଶ । ଭକ୍ତ ମାନେ ବେଶ ଦର୍ଶନ କରି ହୋଇଛନ୍ତି ଭାବବିହ୍ବଳ । ମନ୍ଦିରରେ ଥିବା ପାର୍ଶ୍ବ ଦେବାଦେବୀଙ୍କ ମଧ୍ଯରେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟ, କୁଷ୍ମାଣ୍ଡେ, ସ୍ମନ୍ଧମାତେ, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବିରାଜମାନ କରିଛନ୍ତି । ସେହିପରି ଦଶମହାବିଦ୍ୟାଙ୍କ ମଧ୍ଯରେ ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତାଙ୍ଗୀ, କମଳା, କାଳୀ,ତାରା, ଷୋଡଶୀ, ଭୁବନେଶ୍ବରୀ,ଛିନ୍ନମସ୍ତା ଥିବାବେଳେ ନବଗ୍ରହ, ମୁକ୍ତେଶ୍ଵର ମହାଦେବ,ମହାବୀର, ବାଳଗୋପାଳଙ୍କୁ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କ ସମ୍ମୁଖରେ ସିଂହମୁଖୀ, ବ୍ଯାଘ୍ରମୁଖୀ, ଗଙ୍ଗା,ଯମୁନାଙ୍କୁ ମଧ୍ଯ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିରରେ ହେଉଥିବା କେତେକ ପର୍ବ ପର୍ବାଣୀରେ ମାଙ୍କ ନିକଟରେ ପନ୍ତି ଭୋଗ କରାଯାଇଥାଏ । ମୁଖ୍ଯ ପୂଜକ ଶିବନାରାୟଣ ଦାଶ ମାଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ମାରୁତି ନନ୍ଦନ ମହାପାତ୍ର ସହଯୋଗ କରୁଛନ୍ତି । ଷୋଳଦିନ ଧରି ଦୈନନ୍ଦିନ ନୀତିରେ ମାଙ୍କୁ ଷୋଡ଼ଶପଚାରରେ ପୂଜା କରାଯାଏ । ମାଙ୍କ ମନ୍ଦିରରେ ସକାଳ ଓ ସଂଧ୍ଯାରେ ଭକ୍ତମାନଙ୍କ ଗହଳି ଲାଗିରହିଛି । ମନ୍ଦିର ପରିଚାଳନା କମିଟି ଦ୍ବାରା ନୀତିକାନ୍ତି ଓ ପର୍ବ ପର୍ବାଣୀ ସମ୍ପାଦନ କରାଯାଉଛି । ମା’ଙ୍କ ମହିମା ଅପାର । ସଂଧ୍ଯା ଆଳତି ଘଣ୍ଟ ଘଣ୍ଟା ନାଦରେ ମନ୍ଦିର ପ୍ରକମ୍ପିତ ହୋଇଉଠେ । ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ମାଙ୍କୁ ଦର୍ଶନ କଲେ ଭକ୍ତ ମନ ପରିପୂର୍ଣ୍ଣ ହୋଇଥାଏ । ଝୁଣା ଦୀପ ଧୂପ ,ଘଣ୍ଟ ଘଣ୍ଟା ଓ ଚଣ୍ଡୀପାଠରେ କମ୍ପୁଛି ପୀଠ ପରିସର। ମାଙ୍କ ପ୍ରିୟ ଭୋଗ ମରିଚିଲଡୁ ହୋଇଥିବାରୁ ଭକ୍ତ ମାନେ ମରିଚେଇ ଠାକୁରାଣୀ ଭାବେ ପୂଜା ପାଇ ଆସୁଛନ୍ତି ।
ବିପଦରୁ ଉଦ୍ଧାର କରନ୍ତି ମା’ମରିଚେଇ ଠାକୁରାଣୀ ,ମହାଗୌରୀ ବେଶ ଦର୍ଶନ କରୁଛନ୍ତି ଭକ୍ତ
















Leave a Reply