ଦଶହରା ପାଇଁ ନବବଧୂ ବେଶରେ ସଜେଇ ହୋଇଛି ପାରଳା ସହର

ପାରଳାଖେମୁଣ୍ଡି: :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ପବିତ୍ର ଦଶହରା ଉପଲକ୍ଷେ ଉତ୍ସବ ମୁଖର ହୋଇ ଉଠିଛି । ମା’ ଦୁର୍ଗାଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଓ ସୁଉଚ୍ଚ ତୋରଣମାଳା ନିର୍ମାଣ କରାଯାଇଛି । ରଙ୍ଗୀନ ଆଲୋକମାଳା ଓ ସୁନ୍ଦର ସାଜସଜ୍ଜାରେ ସାରା ସହର ଝଲସି ଉଠୁଛି।ସହରର ପ୍ରମୁଖ ଖଞ୍ଜାସାହି, ବଡ଼ ବ୍ରାହ୍ମଣ ସାହି, ରାଜଗୁରୁ ସାହି ଓ ଗାନ୍ଧୀ ଛକ, ପାୱାର ହାଉସ୍ ଆଦି ସ୍ଥାନରେ ଦଶହରା ପୂଜା ପାଇଁ ଭବ୍ୟ ଆୟୋଜନ କରାଯାଇଛି। ମା’ଙ୍କ ଆଗମନକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।ନବରାତ୍ର ପୂଜା ଅବସରରେ ଶ୍ରଦ୍ଧାଳୁମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି କାମନା କରୁଛନ୍ତି। ତୋରଣର ଆକର୍ଷଣୀୟ ସାଜସଜ୍ଜା ଓ ପୂଜା ମଣ୍ଡପର ଭବ୍ୟ ରୂପ ପାରଳା ସହରର ଦଶହରା ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି। ସମ୍ପୁର୍ଣ୍ଣ ପାରଳା ସହର ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ମା’ଙ୍କ ଆରାଧନାରେ ମଗ୍ନ ହୋଇଉଠିଛି। ସେହିପରି ବର୍ଷରେ ଥରେ କେବଳ ଦଶହରା ଉପଲକ୍ଷେ ଖୋଲୁଥିବା ଦାଣ୍ଡୁମାଲା ସାହିରେ ଥିବା ମନ୍ଦିରର ଭବ୍ୟ ସାଜସଜ୍ଜା ଦର୍ଶକଙ୍କୁ ଆକର୍ଷିତ କରୁଛି।

Leave a Reply

Your email address will not be published. Required fields are marked *