​ଜଙ୍ଗଲ ପତ୍ରରୁ ସ୍ଵବଲମ୍ବି ମାଲକାନଗିରିର ଆଦିବାସୀ ମହିଳା, ତିଆରି କରୁଛନ୍ତି ସିଆଡ଼ି ପାତ୍ରର ଖୋଲି ଓ ଦୋନା

ମାଲକାନଗିରି,: ପ୍ରକୃତି କୋଳରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ନିଜର ଆବଶ୍ୟକତା ଓ ଆତ୍ମନିର୍ଭରଶୀଳତା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ମହିଳାମାନେ ଆଜି ନିଜର ପାରମ୍ପରିକ ଜ୍ଞାନ ଓ ହାତର ନିପୁଣତା ବଳରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ସିଆଡ଼ି ପତ୍ରକୁ ବ୍ୟବହାର କରି ସେମାନେ ନିଜ ହାତରେ ସୁନ୍ଦର ସିଆଡ଼ି ଥାଳି, ଦୋନା ଏବଂ ବିଭିନ୍ନ ପ୍ରକାରର ପାତ୍ର ତଥା ଜିନିଷପତ୍ର ତିଆରି କରି ନିଜେ ବ୍ୟବହାର କରନ୍ତି ଏବଂ ନିଜର ଆର୍ଥିକ ଜୀବିକା ନିର୍ବାହ କରୁଛନ୍ତି।
​ଗାଁ ମହିଳାମାନେ ଏକାଠି ବସି ଜଙ୍ଗଲରୁ ଅଣାଯାଇଥିବା ସିଆଡ଼ି ପତ୍ରଗୁଡ଼ିକୁ ସୁଖାଇ କାଠି କିମ୍ବା ନଡ଼ା ସାହାଯ୍ୟରେ ଅତି ସୁନ୍ଦର ଭାବେ ଗୁନ୍ଥି ଥାଳି ଓ ଦୋନା ପ୍ରସ୍ତୁତ କରୁଛନ୍ତି। ଏହା ସେମାନଙ୍କ ପାଇଁ କେବଳ ଏକ ସଂସ୍କୃତି ନୁହେଁ, ବରଂ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଏକ ପ୍ରମୁଖ ଆର୍ଥିକ ମାଧ୍ୟମ ପାଲଟିଛି।
​ଆଜିକାଲି ପ୍ଲାଷ୍ଟିକ୍ ଏବଂ ଥର୍ମୋକଲ୍ ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଥିବା ବେଳେ, ଏହି ପ୍ରାକୃତିକ ସିଆଡ଼ି ପତ୍ରର ଥାଳି ଓ ଦୋନା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଅଟେ। ଭୋଜିଭାତ, ପୂଜାପାର୍ବଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।
​ସୁଦୂର ଗ୍ରାମାଞ୍ଚଳରେ ରହୁଥିବା ଏହି ମହିଳାମାନଙ୍କୁ ଯଦି ସରକାରୀ କିମ୍ବା ବେସରକାରୀ ସ୍ତରରେ ଉପଯୁକ୍ତ ବଜାର ସଂଯୋଗ ପ୍ରଶିକ୍ଷଣ ଓ ଯନ୍ତ୍ରପାତିର ସହାୟତା ମିଳିପାରନ୍ତା, ତେବେ ସେମାନେ ଅଧିକ ପରିମାଣରେ ଉତ୍ପାଦନ କରି ନିଜର ଆୟ ବୃଦ୍ଧି କରିପାରନ୍ତେ। ମାଲକାନଗିରିର ଏହି ଆଦିବାସୀ ମହିଳାମାନଙ୍କ ନିଷ୍ଠା ଓ ପରିଶ୍ରମ ଅନ୍ୟ ମହିଳାମାନଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ପାଲଟିଛି ।

Leave a Reply

Your email address will not be published. Required fields are marked *