ସନ୍ୟାସ ଛାଡ଼ି ସକ୍ରିୟ ରାଜନୀତିକୁ ପୁଣିଥରେ ଫେରିପାରନ୍ତି ପୂର୍ବତନ ୫-ଟି ସଚିବ ଭି.କେ. ପାଣ୍ଡିଆନ

ପୁରୀ: ସନ୍ୟାସ ଛାଡ଼ି ସକ୍ରିୟ ରାଜନୀତିକୁ ପୁଣିଥରେ ଫେରିପାରନ୍ତି ପୂର୍ବତନ ୫-ଟି ସଚିବ ଭି.କେ. ପାଣ୍ଡିଆନ। ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସଫଳତା ତାଙ୍କୁ ବେଶ୍ ଉତ୍ସାହିତ କରିଛି। ପ୍ରାୟ ଦୁଇବର୍ଷ ପରେ ଶନିବାର ରାତିରେ ସେ ହଠାତ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ବିଜେଡି କର୍ମୀ ତାଙ୍କୁ ‘ୱେଲକମ୍ ପାଣ୍ଡିଆନ’ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ। ବହୁ ସେବକ ଶ୍ରୀମନ୍ଦିର ଭିତରକୁ ତାଙ୍କୁ ପାଛୋଟି ନେବା ସହ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପ୍ରଦାନ କରିଥିଲେ। ପତ୍ନୀ ସୁଜାତା ରାଉତ ଓ ପୁଅ ମଧ୍ୟ ତାଙ୍କ ସହ ଆସିଥିଲେ। ହଠାତ ସେ ପୁରୀ ଆସିବା ସହ ଜଗନ୍ନାଥ ଦର୍ଶନ କରିବା ପରେ ସେ ସକ୍ରିୟ ରାଜନୀତିକୁ ଫେରିବା ଚର୍ଚ୍ଚା ଜୋର ଧରିଛି। ସିଂହଦ୍ୱାର ସମ୍ମୁଖରେ କିଛି ଦଳୀୟ କର୍ମୀଙ୍କ ‘ୱେଲକମ୍ ପାଣ୍ଡିଆନ’ ସ୍ଲୋଗାନକୁ ଦୁଇହାତ ଯୋଡ଼ି ଏବଂ ହସି ହସି ସେ ସମ୍ମାନ ଜଣାଇଥିଲେ। ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ଜିଲା ବିଜେଡି ଉପସଭାପତି ରବିଶଙ୍କର ପ୍ରତିହାରୀ, ପ୍ରତିହାରୀ ସେବକ ଦାମୋଦର ପ୍ରତିହାରୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ।
ତେବେ ସେହି ଶନିବାର ଓ ସେହି ପାଣ୍ଡିଆନଙ୍କୁ ନେଇ ନୂଆ ସମ୍ଭାବନା ଦେଖାଦେଇଛି। କାରଣ ବିଜେଡି ସରକାର ସମୟରେ ସେ ପ୍ରତ୍ୟେକ ଶନିବାର ସକାଳେ ପୁରୀ ଆସନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରନ୍ତି। ନିର୍ବାଚନରେ ବିଜେଡିର ପରାଜୟ ପରେ ସକ୍ରିୟ ରାଜନୀତିରୁ ସେ ସନ୍ୟାସ ଘୋଷଣା କରିଥିଲେ। ପତ୍ନୀ ସୁଜାତା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେମାନେ ଭୁବନେଶ୍ୱର ଛାଡ଼ି ବାହାରକୁ ଚାଲି ଯାଇଥିଲେ। କିଛିଦିନ ତଳେ ସୁଜାତା ଭୁବନେଶ୍ୱର ଆସିବା ସହ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଥିଲେ। ଛାତ୍ର ସଂସଦ ନିର୍ବାଚନ ସମେତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଆଗକୁ ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଛି। ଏଥିପାଇଁ ସରକାରୀ ପ୍ରକ୍ରିୟା ଓ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି, ବିଜେଡି, କଂଗ୍ରେସ, ସିପିଆଇ, ସିପିଏମ, ଆପ୍ ଆଦି ରାଜନୈତିକ ଦଳ ସଂଗଠନକୁ ସୁଦୃଢ଼ କରୁଛନ୍ତି। ତେଣୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପାଣ୍ଡିଆନ ସକ୍ରିୟ ରାଜନୀତିକୁ ଫେରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *