ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଲେହରା ଦୋ ତ୍ରିରଙ୍ଗା ବାଇକ୍ ରାଲି

ପୁରୀ: -ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ତ୍ରିରଙ୍ଗା ଉଡ଼ାଇବା ଘଟଣାରେ ସିଜେପି ର ତିନି ଜଣଙ୍କୁ ଜେଲ୍ ପଠାଯିବା ଘଟଣାର ପ୍ରତିବାଦରେ ଆମ୍ ଆଦ୍‌ମୀ ପାର୍ଟି, ପୁରୀ ଜିଲ୍ଲା ପକ୍ଷରୁ ଆଜି ‘ଲେହରା ଦୋ ତ୍ରିରଙ୍ଗା’ ନାମରେ ଏକ ଶାନ୍ତିପୂର୍ଣ୍ଣ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଗଣତାନ୍ତ୍ରିକ ଅଧିକାର, ମତପ୍ରକାଶର ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର ସୁରକ୍ଷା ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିଲା।ତାଳବଣିଆ ପୋଲିସ ଷ୍ଟେସନ୍ ନିକଟରୁ ଜାତୀୟ ପତାକା ତ୍ରିରଙ୍ଗା ଧରି ଆମ୍ ଆଦ୍‌ମୀ ପାର୍ଟିର କର୍ମକର୍ତ୍ତାମାନେ ଏହି ରାଲି ଆରମ୍ଭ କରିଥିଲେ। ରାଲିଟି ସିଦ୍ଧମହାବୀର ଓଭରବ୍ରିଜ୍, ମାଟିଆପଡ଼ା ଛକ, ଗୁଣ୍ଡିଚା ମନ୍ଦିର ଛକ, ବଡ଼ଦାଣ୍ଡ, ଦୋଳମଣ୍ଡପ ସାହି, କଚେରୀ ଓ ହରିହର ଛକ ଦେଇ ଗାନ୍ଧୀ ପାର୍କଠାରେ ଶେଷ ହୋଇଥିଲା। ଏହି ରାଲିରେ ୫୦ରୁ ଊର୍ଦ୍ଧ୍ୱ ବାଇକ୍‌ରେ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ତ୍ରିରଙ୍ଗାର ସମ୍ମାନ, ଜାତୀୟ ଏକତା ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସ୍ୱର ଉଠାଇଥିଲେ।ଏହି ଅବସରରେ କର୍ମକର୍ତ୍ତାମାନେ ‘ଭୋଟ୍ ଚୋର, ଗାଦି ଛାଡ଼’ ଭଳି ସ୍ଲୋଗାନ ଦେଇ ପୁରୀ ସହରରେ ଏକ ପ୍ରତିବାଦମୂଳକ ବାର୍ତ୍ତା ପହଞ୍ଚାଇଥିଲେ। ଦଳ ପକ୍ଷରୁ କୁହାଯାଇଥିଲା ଯେ, ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ; ଏହା ଦେଶର ସ୍ୱାଧୀନତା, ସମ୍ବିଧାନ, ଗଣତନ୍ତ୍ର ଓ ନାଗରିକଙ୍କ ଅଧିକାରର ପ୍ରତୀକ। ତେଣୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରୀଙ୍କ ଅଧିକାରକୁ ସମ୍ମାନ ଦେବା ସହ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ। କାର୍ଯ୍ୟକ୍ରମରେ ଆମ୍ ଆଦ୍‌ମୀ ପାର୍ଟିର ପୁରୀ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ୍ ମହାନ୍ତି, ଜିଲ୍ଲା ଉପସଭାପତି ଅନିଲ କୁମାର ସେନାପତି, ଜିଲ୍ଲା ଉପସଭାପତି ରବୀନ୍ଦ୍ର ନାଥ ସାହୁ, ନଗର ସଭାପତି ରମାକାନ୍ତ ସ୍ୱାଇଁ ଏବଂ ପୁରୀ ବିଧାନସଭା ସଭାନେତ୍ରୀ କିରନ ଦାସଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ଯୋଗଦେଇଥିଲେ। ଆମ୍ ଆଦ୍‌ମୀ ପାର୍ଟି, ପୁରୀ ଜିଲ୍ଲା ପକ୍ଷରୁ ଗଣତନ୍ତ୍ର, ଜାତୀୟ ଏକତା ଓ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଏଭଳି ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରତିବାଦ ଜାରି ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *