ଟାଟା ଗ୍ରୁପ୍‌ ବିବାଦ ପ୍ରସଙ୍ଗ ; ରାହୁଲ-ସୀତାରମଣ ମୁହାଁମୁହିଁ

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ରେ ନେତୃତ୍ବକୁ ନେଇ ଦେଖା ଦେଇଥିବା ବିବାଦରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଟାଟା ଗ୍ରୁପ୍‌ରେ ଦେଖା ଦେଇଥିବା ବିବାଦକୁ ନେଇ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ କେନ୍ଦ୍ର ସରକାର ଟାଟା ଗ୍ରୁପ୍‌କୁ ବରବାଦ୍‌ କରିବାକୁ ପ୍ରୟାସ ଚଳାଇଛନ୍ତି। ଏହି ପ୍ରସଙ୍ଗରେ ବିଭିନ୍ନ ବ୍ୟାବସାୟିକ ଗୋଷ୍ଠୀ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ ଉଠାଇଥିଲେ। ରାହୁଲଙ୍କ ବାର୍ତ୍ତାର ଜବାବ ଦେଇ ସୀତାରମଣ ଦର୍ଶାଇଥିଲେ ସବୁ ପ୍ରସଙ୍ଗକୁ ରାଜନୀତିର ରଙ୍ଗ ଦେବା ରାହୁଲ ଛାଡ଼ି ଦେବା ଉଚିତ୍‌। ଭାରତୀୟ ଶିଳ୍ପ ଜଗତ ବିଭିନ୍ନ କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରୁଥିବା ବେଳେ ରାହୁଲ ସେସବୁ ପ୍ରତି ବିମୁଖ ଥିବା ଭଳି ଲାଗୁଛି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଭାରତୀୟ ବ୍ୟବସାୟୀ ଗୋଷ୍ଠୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ବେଳେ ଏହା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଶାସନ ସମୟରେ ଭାରତୀୟ ଶିଳ୍ପଜଗତ ଶୋଚନୀୟ ହୋଇପଡ଼ିଥିବା ସୀତାରମଣ ଅଭିଯୋଗ କରିଛନ୍ତି। ରାହୁଲ ରାଜନୈତିକ ସ୍ବାର୍ଥ ହାସଲ କରିବା ନିମନ୍ତେ ସରକାରଙ୍କ ବିରୋଧରେ ଅପପ୍ରଚାର ଚଳାଇଛନ୍ତି। ସେ ଏପରି ଉଦ୍ୟମରୁ କ୍ଷାନ୍ତ ରହିବା ଉଚିତ୍‌।
ବୁଧବାର ସୀତାରମଣଙ୍କୁ କଡ଼ା ଜବାବ ଦେଇ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟରେ ଆଉ ଏକ ବାର୍ତ୍ତା ଛାଡ଼ିଛନ୍ତି। ଏଥିରେ ରାହୁଲ ଦର୍ଶାଇଛନ୍ତି କେଉଁ ଉଦ୍ଦେଶ୍ୟରେ ଟାଟା ଟ୍ରଷ୍ଟ ଓ ଟାଟା ସନ୍ସ ପଦାଧିକାରୀଙ୍କ ବୈଠକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଘରେ ଆୟୋଜିତ ହୋଇଥିଲା ସେ ସମ୍ପର୍କରେ ସୀତାରମଣ ଜବାବ ରଖନ୍ତୁ। ଭାରତରେ କେନ୍ଦ୍ର ସରକାରଙ୍କ ଘନିଷ୍ଠ ୩/୪ଟି ବ୍ୟବସାୟ ଗୋଷ୍ଠୀଙ୍କୁ ଛାଡ଼ି ବାକି ସବୁ ବ୍ୟବସାୟ ଗୋଷ୍ଠୀ ବର୍ତ୍ତମାନର ସରକାରଙ୍କୁ ଘୃଣା କରୁଥିବା ରାହୁଲ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *