ବରଗଡ଼ : – ମା’ ଦୁର୍ଗାଙ୍କ ଆଗମନକୁ ନେଇ ବରଗଡ଼ ଜିଲା ଗୋଡ଼ଭଗା ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗୋଡ଼ଭଗା କ୍ୟାମ୍ପ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ଅକ୍ଟୋବର ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ସାର୍ବଜନୀନ ଦୁର୍ଗାପୂଜା ମହୋତ୍ସବ ଆୟୋଜନ ଅବସରରେ ଶନିବାର ସନ୍ଧ୍ୟାରେ ବିଲ୍ୱବରଣ ସହ କଳସ ଶୋଭାଯାତ୍ରା ହୋଇ ଯାତ୍ରା ଶୁଭାରମ୍ଭ ହୋଇଛି । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୮ ତାରିଖ ରବିବାରରୁ ଗୋଡ଼ଭଗାରେ ରାବଣରାଜ ଆରମ୍ଭ ହୋଇ ଅକ୍ଟୋବର ୨୧ ତାରିଖ ବୁଧବାର ରାବଣପୋଡ଼ି ହେବା ପରେ ଯାତ୍ରା ମହୋତ୍ସବ ଉଦଯାପିତ ହେବ।
ପୂଜା କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ଶନିବାର ଅକ୍ଟୋବର ୧୭ ତାରିଖ ଷଷ୍ଠୀରେ ବିଲ୍ୱବରଣ ଓ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇ ଯାତ୍ରା ସହ ଗୋଡ଼ଭଗା ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଛି l ପୁରୀ ସଂସ୍କୃତ କେନ୍ଦ୍ରୀୟ ସଦାଶିବ ମହାବିଦ୍ୟାଳୟର ପ୍ରଫେସର ଡ଼.ନନ୍ଦିଘୋଷ ମହାପାତ୍ର ମୁଖ୍ୟ ପଣ୍ଡିତ ଏବଂ ବାସନ୍ତୀ ଦାଶ ଓ ସୁରେଶ ଦାଶ ସପତ୍ନୀକ କର୍ତ୍ତା ଦାୟିତ୍ୱ ବହନ କରିଥିଲେ l ବଡ଼କରଲେ ଗ୍ରାମର ସମ୍ପ୍ରଦା ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
୧୮ ତାରିଖ ରବିବାର ସପ୍ତମୀରେ ମହାସପ୍ତମୀ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତାବିରାର କଳା ସଂସ୍କୃତି ଏବଂ ରାମଲୀଲା ଉଦଘାଟିତ ହୋଇ ରାବଣର ରାଜ୍ୟାଭିଷେକ, ରାବଣ ଓ ଲଙ୍କେଶ୍ୱରୀ ଦେବୀଙ୍କ ନଗର ପରିକ୍ରମା ନାଟ୍ୟାଭିନୟ ପରିବେଷଣ କରାଯିବ l
୧୯ ତାରିଖ ସୋମବାର ଅଷ୍ଟମୀରେ ମହାଷ୍ଟମୀ ପୂଜା ଓ ସନ୍ଧିପୂଜା ସହ ଅତାବିରାର କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ ଏବଂ ରାମଲୀଳାରେ ରାମଙ୍କ ବନଗମନ, ସୀତାଚୋରୀ, ଲଙ୍କେଶ୍ଵରୀ ଦେବୀ-ହନୁମାନ ଯୁଦ୍ଧ, ହନୁମାନଙ୍କ ସହ ଇନ୍ଦ୍ରଜିତ ଯୁଦ୍ଧ ନାଟ୍ୟାଭିନୟ ପରିବେଶତ ହେବ l
୨୦ ତାରିଖ ମଙ୍ଗଳବାର ନବମୀରେ ମହାନବମୀ ପୂଜା ଓ ଯାତ୍ରା ସହ ବରଗଡ଼ର ମା’ ଆଦି ଶକ୍ତି ଅର୍କେଷ୍ଟ୍ରl, ବଲବସପୁରର କୃଷ୍ଣଗୁରୁ ଏବଂ ରାମଲୀଳାରେ ଲଙ୍କାପୋଡ଼ି, କୁମ୍ଭକର୍ଣ୍ଣଙ୍କ ନିଦ୍ରାଭଙ୍ଗ, ଓ ରାମଙ୍କ ଦୁର୍ଗାମାତାଙ୍କୁ ଆରାଧନା ଦୃଶ୍ୟାଭିନୟ ଅନୁଷ୍ଠିତ ହେବ l
ସେହିପରି ୨୧ ତାରିଖ ବୁଧବାର ଦଶମୀରେ ମହାଦଶମୀ ପୂଜା, ପୂର୍ଣ୍ଣାହୁତି ଓ ବିସର୍ଜନ ପୂଜା ଅନୁଷ୍ଠିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ରାମଲୀଲାରେ ରାମ ରାବଣ ଯୁଦ୍ଧ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣ ବଧ, ରାବଣ ବଧ ଏବଂ ଆତିସବାଜୀ କାର୍ଯ୍ୟକ୍ରମ ରହିଛି l ୨୨ ତାରିଖ ଗୁରୁବାର ଏକାଦଶୀରେ ଭସାଣି ଉତ୍ସବ ଆୟୋଜନ କରାଯିବ।
ପୂଜା ଅବସରରେ ବିଭିନ୍ନ ଦିନରେ ଅତିଥିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୧୮ ତାରିଖରେ ଜଳସମ୍ପଦ ବିଭାଗର ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପ କୁମାର ତାଣ୍ଡି ଏବଂ ପୂଜାକର୍ତ୍ତା ତଥା ଗୋଡ଼ଭଗା ନାଗରିକ କମିଟିର ସଭାପତି ସୁରେଶ କୁମାର ଦାଶ ଯୋଗଦେବେ। ସେହିପରି ଅକ୍ଟୋବର ୨୦ ତାରିଖରେ ରେଙ୍ଗାଲି ବିଧାନସଭା କ୍ଷେତ୍ରର ବିଧାୟକ ସୁଦର୍ଶନ ହରିପାଲ ଏବଂ ୨୧ ତାରିଖରେ ଅତାବିରା ବିଧାନସଭା କ୍ଷେତ୍ରର ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତିଥି ଭାବେ ଯୋଗଦେବାର ସୂଚନା ରହିଛି।
ମା’ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ସହ ପୂଜା ଓ ରାବଣପୋଡ଼ି ମହୋତ୍ସବରେ ଯୋଗଦେଇ ଶାନ୍ତିଶୃଙ୍ଖଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି।
ଗୋଡ଼ଭଗା କ୍ୟାମ୍ପରେ ସାର୍ବଜନୀନ ଦୁର୍ଗାପୂଜା, କଳସ ଶୋଭାଯାତ୍ରା ,୨୧ରେ ରାବଣପୋଡ଼ି ମହୋତ୍ସବ














Leave a Reply