ଚାଷ ଜମିରେ ଗ୍ରାମ୍ୟ ରାସ୍ତା ନିର୍ମାଣକୁ ନେଇ ବିବାଦ, ନ୍ୟାୟ ପାଇଁ ଦ୍ୱାରସ୍ଥ ଚାଷୀ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କରମତଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୃଷ୍ଣାପାଳି ଓ ଧରପଗଡ଼କୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ଛନଛଡ଼ା ମୌଜା ଅନ୍ତର୍ଗତ ଜମି ଦେଇ ଏହି ରାସ୍ତା ଯାଇଥିବା ବେଳେ ନିଜ ଚାଷ ଜମି ଉପରେ ରାସ୍ତା ନିର୍ମାଣ ହୋଇଥିବା ନେଇ ଚାଷୀ ବୁଡ଼େକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଜମିର ସ୍ଥିତି ଓ ରାସ୍ତା ନିର୍ମାଣର ଆଧାରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଚାଷୀ ବୁଡ଼େକଙ୍କ ଅଭିଯୋଗ ଅନୁଯାୟୀ, ତୃଷ୍ଣାପାଳି ଓ ଧରାପଗଡ଼କୁ ସଂଯୋଗ କରୁଥିବା ରାସ୍ତା ତାଙ୍କ ଚାଷ ଜମି ଦେଇ ନିର୍ମାଣ କରାଯାଇଛି। ଉକ୍ତ ଅଞ୍ଚଳରେ କେତେକ ଲୋକ ଜମି ଦଖଲରେ ରଖି ଚାଷବାସ ଓ ବଗିଚା କରୁଥିବା ବେଳେ ଜମିର ସୀମା ଓ ଅଧିକାରକୁ ନେଇ ବିବାଦ ଉପୁଜିଥିବା ସେ କହିଛନ୍ତି।

ଏହି ଜମିକୁ ନେଇ ଆପତ୍ତି ଉଠାଇବା ସହ ସମ୍ପୃକ୍ତ ସ୍ଥାନ ଛାଡ଼ିବାକୁ କହିବାରୁ ତୃଷ୍ଣାପାଳି ଗ୍ରାମର କେତେକ ଲୋକ ତାଙ୍କ ସହ ଗାଳିଗୁଲଜ କରୁଥିବା ବୁଡ଼େକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗିରହିଥିବା ସେ ପ୍ରକାଶ କରିଛନ୍ତି।

ସମସ୍ୟାର ସମାଧାନ ପାଇଁ ଚାଷୀ ବୁଡ଼େକ ବିଭିନ୍ନ ଜନଶୁଣାଣିରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ସେ କହିଛନ୍ତି। ଦୀର୍ଘଦିନ ଧରି ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ସେ ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ, ଏହି ରାସ୍ତା ଓ ଜମିକୁ ନେଇ ଛନଛଡ଼ା ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ରହିଥିବା ଜଣାପଡ଼ିଛି। ତେଣୁ ଜମିର ପ୍ରକୃତ ସ୍ଥିତି, ମାଲିକାନା ଓ ରାସ୍ତା ନିର୍ମାଣର ଆଧାର ସମ୍ପର୍କରେ ରାଜସ୍ୱ ରେକର୍ଡ ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି।

ଏହି ଘଟଣାରେ ସଇଁତଳା ତହସିଲ ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀ ନିରପେକ୍ଷ ତଦନ୍ତ କରି ଜମିର ମାପଚୁପ ସହ ରାସ୍ତା ନିର୍ମାଣର ଆଇନଗତ ଆଧାର ଯାଞ୍ଚ କରିବାକୁ ଦାବି ହୋଇଛି। ଉଭୟ ପକ୍ଷଙ୍କ ମତାମତ ଶୁଣି ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଗଲେ ଏହି ବିବାଦର ସମାଧାନ ହୋଇପାରିବ।

ଏବେ ଚାଷୀ ବୁଡ଼େକଙ୍କ ଅଭିଯୋଗ ଓ ଛନଛଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଉଠିଥିବା ପ୍ରସଙ୍ଗ ଉପରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି ଏବଂ ଜମି ବିବାଦର ସମାଧାନ ପାଇଁ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *