ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସ୍ଥିତ ୫୫ତମ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଆଜି ଭକ୍ତିମୟ ପରିବେଶରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।
ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇ ଜଗତଜନନୀଙ୍କ ଆଶୀର୍ବାଦ କାମନା କରାଯାଇଥିଲା। ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଦର୍ଶନ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ୪ଟାରେ ସାର୍ବଜନୀନ ପୂଜା ମଣ୍ଡପଠାରୁ ପୂଜା କମିଟିର କର୍ମକର୍ତ୍ତାମାନେ ପାରମ୍ପରିକ ବାଦ୍ୟ ଓ କୀର୍ତ୍ତନ ଦଳ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଖଜୁରୀ ବନ୍ଧ ନିକଟରେ ପହଞ୍ଚିଥିଲେ। ସେଠାରେ ବିଧିବଦ୍ଧ ପୂଜା ପରେ ଜଳପୂର୍ଣ୍ଣ କଳସ ଧରି ମଣ୍ଡପକୁ ଫେରି ଶାସ୍ତ୍ରୀୟ ବିଧି ଅନୁଯାୟୀ କଳସ ସ୍ଥାପନ କରାଯାଇଥିଲା।
ମା’ଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ସହ ଏହି ପୂଜା ଦଶମୀ ତିଥି ପର୍ଯ୍ୟନ୍ତ ଜାରି ରହିବ। ପୂଜା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ପୂଜାକୁ ସୁଚାରୁରୂପେ ପରିଚାଳନା ପାଇଁ ସଭାପତି ଅଜିତ କୁମାର ତରିଆ, ଉପ-ସଭାପତି ଅବିନାଶ ଭୋଇ, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହ-ସମ୍ପାଦକ ଲଳିତ କୁମାର ବଘାର ଓ ଜିତେଶ୍ ସେଠ୍ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି।
ଏହି ପବିତ୍ର ଅବସରରେ ମଁ।ଙ୍କ ଦର୍ଶନ କରି କୃପାଲାଭ କରିବାକୁ ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ସମସ୍ତ ଅବଳାବୃଦ୍ଧବନିତାଙ୍କୁ ହାର୍ଦିକ ନିମନ୍ତ୍ରଣ କରାଯାଇଛି।















Leave a Reply