ସ୍ପେନ୍: ସ୍ପେନ୍ରେ ବୁଧବାର ସକାଳେ ଦୁଇ ହାଇସ୍ପିଡ୍ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ୪୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏହି ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟି ମୁଖ୍ୟତଃ ଦାୟୀ ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ମୁଖ୍ୟ ସିଗ୍ନାଲିଂ ବ୍ୟବସ୍ଥା ଅଚଳ ହେବା ସମୟରେ ରେଳ ନେଟ୍ୱର୍କ ପରିଚାଳକ ଠିକ୍ ଭାବେ ନିଜ ଦାୟିତ୍ୱ ନ ତୁଲାଇବାରୁ ଏଭଳି ଅଘଟଣ ଘଟିଲା ବୋଲି ଆଶଙ୍କା କରାଯାଉଛି ।ଏହି ରେଳଗୁଡିକର ସୁରକ୍ଷା ବ୍ୟବସ୍ଥା ସ୍ୱୟଂଚାଳିତ ଭାବେ କର୍ଯ୍ୟ କରେ। ଏଥିରେ ତ୍ରୁଟି ଦେଖାଦେଲେ ଏହାକୁ ମାନୁଆଲ୍ ମୋଡ୍କୁ ପରିବର୍ତ୍ତନ କରାଯାଏ। ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥାରେ ହଠାତ୍ ବୈଷୟିକ ତ୍ରୁଟି ଦେଖାଦେବାରୁ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଟ୍ରେନ୍ଗୁଡ଼ିକ ରେଳଧାରଣା ଉପରେ ଅଟକି ଯାଇଥିଲା। ଟ୍ରେନ୍ ଚଳାଚଳ ପୁନଃ ଆରମ୍ଭ କରିବା ସମୟରେ ଅପରେଟରଙ୍କ ଗୁରୁତର ତ୍ରୁଟି ଯୋଗୁଁ ଦୁଇଟି ଟ୍ରେନ୍ ଗୋଟିଏ ରେଳଧାରଣାକୁ ଆସିଯାଇଥିଲା। ସରକାରଙ୍କ ମୁଖପାତ୍ର ଏଷ୍ଟର୍ ପାଡିଲାଙ୍କ ଅନୁଯାୟୀ, ଗୋଟିଏ ଟ୍ରେନ୍ କାହିଁକି ରେଳଧାରଣା ଉପରେ ଅଟକି ରହିଥିଲା, ତାହା ତଦନ୍ତକାରୀ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଦୁର୍ଘଟଣାଗ୍ରସ୍ତ ରେଳପଥରେ ୧୯୮୦ ଦଶକରୁ ପ୍ରଚଳିତ ପୁରୁଣା ସିଗ୍ନାଲିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏବେ ଏହି ରେଳପଥର ଆଧୁନିକୀକରଣ କାର୍ଯ୍ୟ ଚାଲିଥିଲା। ଏହି ଆଧୁନିକୀକରଣ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଥିଲା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଦ୍ରୋ ସାଞ୍ଚେଜ୍ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାକୁ ଏକ ଗୁରୁତର ରେଳ ଦୁର୍ଘଟଣା ବୋଲି କହିବା ସହ ପୀଡ଼ିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।
ୟୁରୋପର ସର୍ବବୃହତ୍ ହାଇସ୍ପିଡ୍ ରେଳ ନେଟ୍ୱର୍କ ମଧ୍ୟରୁ ଅନ୍ୟତମ ନେଟ୍ୱର୍କ ଥିବା ସ୍ପେନ୍ରେ ଏହି ଦୁର୍ଘଟଣା ପୁଣିଥରେ ରେଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଗତ ଜାନୁୟାରୀ ମାସରେ ଦକ୍ଷିଣ ସ୍ପେନ୍ରେ ଏକ ଟ୍ରେନ୍ ରେଳଧାରଣାରୁ ଖସି ଅନ୍ୟ ଏକ ଟ୍ରେନ୍ ସହ ଧକ୍କା ହେବାରୁ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ସ୍ପେନ୍ ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୪୬ ଜୀବନ















Leave a Reply