ଅର୍ଣ୍ଣବ ପ୍ରଭାବ: ରାଜ୍ୟର ୧୪ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା

ଭୁବନେଶ୍ୱର: ସୃଷ୍ଟି ହୋଇଥିବା ବାତ୍ୟା “ଅର୍ଣ୍ଣବ”ର ଓଡ଼ିଶାରେ ପ୍ରଭାବ  ସଂପର୍କିତ ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ( ଏସଆରସି),ଓଡ଼ିଶା ଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ସମୀକ୍ଷା କରିଛନ୍ତି । ଏ ସଂପର୍କରେ ଏସଆରସି  ରାଜେଶ ପ୍ରଭାକର ପାଟିଲ,   ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ଅବଗତ କରାଇଥିଲେ ।  ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ  ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ଏସଆରସି ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।
‘ଶୂନ୍ୟ ଜୀବନହାନି’ (Zero Casualty) କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏବଂ ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ   ପ୍ରତ୍ୟକ୍ଷ ସମୀକ୍ଷା ଆଧାରରେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ  କରାଯାଉଛି ।
ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ସମସ୍ତ ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୮ଟି ପ୍ରଭାବିତ ଜିଲ୍ଲାରେ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି (୧୪୧ ସ୍ଥାୟୀ + ୧,୯୨୬ ଅସ୍ଥାୟୀ) ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି ।  ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।  ସମୁଦ୍ରରୁ ୧୧,୯୫୫  ଓ ଚିଲିକାରୁ ୭,୧୮୮ ଏହିଭଳି ମୋଟ ୧୯,୧୪୩ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି ।

Leave a Reply

Your email address will not be published. Required fields are marked *