ନୂଆଦିଲ୍ଲୀ : ଖୁବ୍ଶୀଘ୍ର ଭାରତରେ ପେଟ୍ରୋଲ, ଡିଜେଲ, ସିଏନ୍ଜି ଓ ବ୍ୟାଟେରି ବିନା ଗାଡ଼ି ଚାଲିବ। ପ୍ରଦୂଷଣ ହ୍ରାସ ପାଇବ ଓ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବି ସଞ୍ଚୟ ହେବ। ଏ ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ର ମଞ୍ଜୁରୀ ଦେଇଛି। ଏଥିପାଇଁ ସରକାର ‘କେନ୍ଦ୍ରୀୟ ମୋଟର ଯାନ ଆଇନ’ରେ ସଂଶୋଧନ କରିଛନ୍ତି। ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗାଡ଼ି ଖରାପ ହେଉଥିବା ଦାବି କରି ଦେଶରେ ଇଥାନଲ ମିଶୁଥିବା ଇନ୍ଧନକୁ ବିରୋଧ କରାଯାଉଥିବାବେଳେ ସରକାର ଇ-୧୦୦କୁ ମଞ୍ଜୁରୀ ଦେଇଛନ୍ତି। ତେବେ ସବୁ ଗାଡ଼ିରେ ଇ-୧୦୦ ପଡ଼ି ପାରିବ ନାହିଁ। ଯେଉଁ ଗାଡ଼ି ଇ-୧୦୦ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବ, ସେଥିରେ ଏହି ଇନ୍ଧନ ପକେଇ ହେବ। ନୂଆ ନିୟମ ଦ୍ବାରା ଏଭଳି କାରର ପରୀକ୍ଷଣ ଓ ଚଳାଇବାର ମାର୍ଗ ପ୍ରଶସ୍ତ ହୋଇଯାଇଛି।
ସଡ଼କ ପରିବହନ ମନ୍ତ୍ରଣାଳୟ ଜାରି କରିଥିବା ନୂଆ ବିଜ୍ଞପ୍ତିରେ ଇ-୮୫ ସହିତ ଇ-୧୦୦କୁ ବି ମଞ୍ଜୁରୀ ଦିଆଯାଇଛି। ଏହି ସଂଶୋଧିତ ନିୟମ ଦ୍ବାରା ଗାଡ଼ି ନିର୍ମାତାମାନଙ୍କୁ ଇ-୧୦୦ରେ ଚାଲିବା ପାଇଁ ଡିଜାଇନ୍ ଓ ପ୍ରସ୍ତୁତ କରାଯାଇଥିବା ଗାଡ଼ି ବିକଶିତ କରିବାକୁ ଅନୁମତି ମିଳିବ। ଏହା ସହିତ ନୂଆ ନିୟମରେ ଗାଡ଼ିର ମୋଟ ଓଜନକୁ ୩୦୦୦ରୁ ୩୫୦୦ କେଜିକୁ ବୃଦ୍ଧି କରାଯାଇଛି। ଇ-୨୦ ଇନ୍ଧନରେ ଚାଲିବା ପାଇଁ ଡିଜାଇନ୍ ହୋଇଥିବା ଗାଡ଼ି ସହିତ ପାରମ୍ପରିକ ପେଟ୍ରୋଲ୍ କାରଗୁଡ଼ିକୁ ଶତ ପ୍ରତିଶତ ଇଥାନଲ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ବର୍ତ୍ତମାନର ଗାଡ଼ି ମାଲିକଙ୍କ ଉପରେ ଏହାର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ। ସେମାନଙ୍କୁ ଗାଡ଼ିରେ କୌଣସି ପରିବର୍ତ୍ତନ କରିବାକୁ ଆବଶ୍ୟକ ପଡ଼ିବନି। ପୂର୍ବରୁ ଆମେରିକା ଓ ବ୍ରାଜିଲ ଭଳି ଦେଶରେ ଇ-୧୦୦ରେ ଗାଡ଼ି ଚଲାଇବାକୁ ଅନୁମତି ମିଳିଛି। ଏହି ନିୟମରେ ସଂଶୋଧନ ହେବା ପୂର୍ବରୁ ସରକାର ଗତ ଏପ୍ରିିଲରେ ଚିଠା ପ୍ରସ୍ତାବ ଜାରି କରି ପରାମର୍ଶ ମାଗିଥିଲେ। ଏବେ ତାହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।













Leave a Reply