ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ର ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ନିୟମ ଅନୁଯାୟୀ, ଏଥିରେ ପରିବର୍ତ୍ତନ ତଥା ବଦଳାଇବାର ଅଧିକାର କେନ୍ଦ୍ର ପାଖରେ ରହିଛି। ଏସଆଇଆରରେ ଦିଆଯାଇଥିବା ଘୋଷଣାପତ୍ର ଏକ ପୃଥକ ଦସ୍ତାବିଜ୍। ସର୍ବସମ୍ମତି କ୍ରମେ ଏସଆଇଆର ଉପରେ ସବୁ ନିଷ୍ପତ୍ତି ନିଆଯାଇଛି। ସବୁ ନିଷ୍ପତ୍ତିରେ ମୁଖ୍ୟ ନିର୍ବାଚନ ଆଯୁକ୍ତ (ସିଇସି) ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ସହମତି ଥିଲା। ଏସଆଇଆର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ସୁପ୍ରିମକୋର୍ଟରେ ସୋମବାର ଜବାବୀ ସତ୍ୟପାଠ ଦାଖଲ କରି ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ଏହା କୁହାଯାଇଛି। କୋର୍ଟରେ ଦାଖଲ ଏହି ସତ୍ୟପାଠରେ ତିନି ଜଣଙ୍କ ଦସ୍ତଖତ ମଧ୍ୟ ରହିଛି। ନିଷ୍ପତ୍ତି ନେବା ପ୍ରକ୍ରିୟା ବିରୋଧରେ ଆଗତ ଆବେଦନର ଆଧାର ଉପରେ ମଧ୍ୟ ଇସିଆଇ ପ୍ରଶ୍ନ ଉଠାଇଛନ୍ତି। ଇସିଆଇ, ସିଇସି ଓ ଅନ୍ୟ ଅଧିକାରୀଙ୍କୁ ସୁପ୍ରିମକୋର୍ଟ ଦେଇଥିବା ନୋଟିସ ଉପରେ ଏହି ସତ୍ୟପାଠ ଦାଖଲ କରାଯାଇ ପକ୍ଷ ରଖାଯାଇଛି। ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ। ଗତ ମାସରେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଦୁଇ ଜଣ ନିର୍ବାଚନ ଆୟୁକ୍ତ ଏସଆଇଆରର ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଆପତ୍ତି ଉଠାଇଥିଲେ ବୋଲି କୁହାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟରେ ଆବେଦନ ଦାୟର କରାଯାଇଥିଲା। ଇସିଆଇଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଇସିଆଇ କହିଛନ୍ତି ଯେ ଏକ ରିପୋର୍ଟକୁ ଆଧାର କରି ଏହି ଆବେଦନ ଦାୟର କରାଯାଇଛି। ଏସଆଇଆର ସମ୍ପର୍କରେ ତିନିଟି ନିର୍ଦେଶ (୨୦୨୫ ଜୁନ୍, ୨୦୨୫ ଅକ୍ଟୋବର ଏବଂ ୨୦୨୬ ମେ’) ସର୍ବସମ୍ମତି କ୍ରମେ ନିଆଯାଇଥିଲା। କୌଣସି ଫାଇଲ୍ ଆଗକୁ ଯିବା ସମୟରେ ସିଇସି କିମ୍ବା ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ଦିଆଯାଉଥିବା ଟିପ୍ପଣୀ, ପ୍ରଶ୍ନ କିମ୍ବା ପରାମର୍ଶକୁ ଆୟୋଗଙ୍କ ନିଷ୍ପତ୍ତି ବୋଲି ଧରାଯାଇପାରିବ ନାହିଁ। ଫାଇଲ୍ ପ୍ରଥମେ ଜଣେ ନିର୍ବାଚନ ଆୟୁକ୍ତଙ୍କ ପାଖକୁ, ପରେ ଅନ୍ୟ ନିର୍ବାଚନ ଆୟୁକ୍ତ ଓ ଶେଷରେ ସିଇସିଙ୍କ ପାଖକୁ ଯାଇଥାଏ। ଜରୁରୀ ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅନୁମୋଦନ ନିଆଯାଏ ଓ ପରେ ରେକର୍ଡ ରଖାଯାଏ। ନିଜକୁ ଦିଆଯାଇଥିବା କ୍ଷମତାର ସୀମା ଅତିକ୍ରମ କରି କୌଣସି ଅଧିକାରୀ ନିର୍ଦେଶ ଜାରି କଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ଫର୍ମ-୬ରେ ହୋଇନି ପରିବର୍ତନ













Leave a Reply