ପୁରୀ: କେତେ ଆଶା ନେଇ ପୁରୀ ଆସିଥିଲେ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ପାଳିଥା’ନ୍ତେ, ଜଗା ଦର୍ଶନ କରି ପୁଣ୍ୟ ଅର୍ଜିଥା’ନ୍ତେ। କିନ୍ତୁ, ପୁଲିସ ସେମାନଙ୍କୁ ଯେ ଏତେ ହିନିମାନ କରିବ, ସେକଥା ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଚରମ ବିଭ୍ରାଟ ଦେଖାଦେଇଛି। ହବିଷିଆଳିଙ୍କୁ ପୁଲିସ ମାଡ଼ ମାରିବା ସହ ସେମାନଙ୍କ ଜିନିଷପତ୍ର ଫିଙ୍ଗିଦେଇଛି। ସେତିକିରେ ମନ ଶାନ୍ତି ହେଲାନି ଯେ ବସ୍ରେ ଜୋରଜବରଦସ୍ତ ପୂରାଇ ପୁରୀରୁ ତଡ଼ି ଦେଇଛି। ସୋମବାର ପୁରୀ ସହରରେ ଥିବା ବୃନ୍ଦାବତୀ ନିବାସ ନିଃଶୁଳ୍କ ହବିଷିଆଳି ଶିବିର ସମ୍ମୁଖରେ ଘଟିଥିବା ଏଭଳି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଫଳରେ, ୫୦ରୁ ଊର୍ଦ୍ଧ୍ବ ବୃଦ୍ଧା ରାସ୍ତାକଡ଼ରେ ବସି କାନ୍ଦୁଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ବିନା ପଞ୍ଜୀକରଣରେ ଶତାଧିକ ମହିଳା ରବିବାର ବୃନ୍ଦାବତୀ ନିବାସ ଓ ରେଳ ପର୍ଯ୍ୟଟନ କେନ୍ଦ୍ର ସରକାରୀ ହବିଷିଆଳି ଶିବିରରେ ଜିନିଷପତ୍ର ଧରି ପହଞ୍ଚିଥିଲେ। ତାଲିକାରେ ସେମାନଙ୍କ ନାମ ନଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ଭିତରକୁ ଛାଡ଼ି ନଥିଲେ। ଏହାର ପ୍ରତିବାଦରେ ୫୦ରୁ ଊର୍ଦ୍ଧ୍ବ ହବିଷିଆଳି ଧାରଣା ଦେଇଥିଲେ। ଏଥିଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉପ-ଜିଲାପାଳଙ୍କ ସମେତ କେତେକ ଅଧିକାରୀ ସେଠାରେ ପହଞ୍ଚି ଧାରଣା ଦେଇଥିବା ହବିଷିଆଳିଙ୍କ ସହ ଆଲୋଚନା କରିଥିଲେ। ସୋମବାର ସନ୍ଧ୍ୟା ସୁଦ୍ଧା ପଞ୍ଜୀକୃତ ହବିଷିଆଳିମାନେ ନ ଆସିଲେ, ସେମାନଙ୍କ ସ୍ଥାନରେ ନୂତନ ହବିଷିଆଳିଙ୍କୁ ରହିବାକୁ ସୁଯୋଗ ଦିଆଯିବ ବୋଲି ଉପଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ।
ତେଣୁ ଶତାଧିକ ମହିଳା ରାତିତମାମ ସରକାରୀ ହବିଷିଆଳି ଶିବିର ଆଗରେ ଅପେକ୍ଷା କରି ରହିଥିଲେ। ତେବେ, ସୋମବାର ଆଉ କିଛି ମହିଳା ବିନା ପଞ୍ଜୀକରଣରେ ହଠାତ୍ ଆସି ବୃନ୍ଦାବତୀ ନିବାସରେ ପହଞ୍ଚିଥିଲେ। ସେଠାରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ସେମାନେ ଅନୁରୋଧ କରିଥିଲେ। କିନ୍ତୁ ସେମାନଙ୍କୁ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା। ସେଠାରୁ ଯଥାଶୀଘ୍ର ଚାଲିଯିବାକୁ ଦାୟିତ୍ୱରେ ଥିବା ପ୍ରଶାସନିକ ଓ ପୁଲିସ ଅଧିକାରୀ ସେମାନଙ୍କୁ କହିଥିଲେ। କିନ୍ତୁ, ହବିଷିଆଳିମାନେ ସେଠାରୁ ଯାଇନଥିଲେ। ରାଜ୍ୟ ସରକାର ସେମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ବ୍ୟବସ୍ଥା କରିଥିବା ଦର୍ଶାଇ ସେଠାରେ ରହିବାକୁ ସେମାନେ ଜିଦ୍ ଧରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୁଲିସର ବଳପ୍ରୟୋଗ ଓ ଦମନଲୀଳା। କେତେକ ପୁଲିସ କର୍ମଚାରୀ ହବିଷିଆଳିଙ୍କ ଜିନିଷ ପତ୍ର ଫିଙ୍ଗିଦେବା ସହ ବଳପୂର୍ବକ ଏକ ବସ୍ ଭିତରେ ପୂରାଇ ତଡ଼ିଦେବାକୁ ଉଦ୍ୟମ କରିଥିଲେ। ଏ ସଂପର୍କରେ ହବିଷିଆଳି ବିଳାସିନୀ ପାଇକରାୟ, ପ୍ରଭାତୀ ମିଶ୍ର, ସ୍ନେହଲତା ମହାପାତ୍ର ପ୍ରମୁଖ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଉପରେ ପାଣି ମାଡ଼ କରାଯାଇଥିବା ବିଳାସିନୀ କହିଛନ୍ତି। ୫୦ରୁ ଊର୍ଦ୍ଧ୍ବ ହବିଷିଆଳିଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ସେଥିରୁ ବହୁ ମହିଳା ଅନଲାଇନରେ ଦରଖାସ୍ତ କରିଥିଲେ ମଧ୍ୟ ମନୋନୀତ ହୋଇନାହାନ୍ତି। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଆସିଥିବା କିଛି ମହିଳାଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।
ବିନା ପଞ୍ଜୀକରଣରେ ଆସିଥିବା କିଛି ହବିଷିଆଳିଙ୍କୁ ଉତ୍କଳ ବାଳାଶ୍ରମ ଓ ବାୟାବାବା ମଠରେ ରଖାଯାଇଛି। ଆଉ କିଛି ମହିଳାଙ୍କୁ ଗାଡ଼ିରେ ନେଇ ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଛାଡ଼ି ଦିଆଯାଇଛି। ତେବେ, କେତେକ ହବିଷିଆଳି ସୋମବାର ରାତି ପର୍ଯ୍ୟନ୍ତ ବୃନ୍ଦାବତୀ ନିବାସ ସମ୍ମୁଖରେ ଅପେକ୍ଷା କରି ରହିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୫୦ ହବିଷିଆଳି ବିନା ପଞ୍ଜୀକରଣରେ ଆସିଥିବା ଏବଂ ସେମାନେ ବୃନ୍ଦାବତୀ ନିବାସ ନିଃଶୁଳ୍କ କାର୍ତ୍ତିକ ବ୍ରତ ଶିବିରରେ ରହିବାକୁ ଅଡ଼ିବସିଥିବା ସୂଚନା ଓ ଲୋକସଂପର୍କ ଉପ-ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କହିଛନ୍ତି।
ଏ ପ୍ରସଙ୍ଗରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲା। ସେମାନେ ଫୋନ ନ ଧରିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସିଟି ଡିଏସ୍ପି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, କୌଣସି ହବିଷିଆଳିଙ୍କୁ ଦୁର୍ବ୍ୟବହାର କରାଯାଇନାହିଁ। ବିନା ପଞ୍ଜୀକରଣରେ ଆସିଥିବା କିଛି ହବିଷିଆଳିଙ୍କୁ ପୁଲିସ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ କରିଥିଲା। ସେମାନେ ସେଥିରେ ରାଜି ହୋଇନଥିଲେ। ବଳ ପ୍ରୟୋଗ ଓ ଦୁର୍ବ୍ୟବହାର ନେଇ କେହି ଅଭିଯୋଗ କରିନଥିବା ସେ କହିଛନ୍ତି।
କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ଚରମ ବିଭ୍ରାଟ












Leave a Reply