ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂରରେ ପୁରୁଣାପାଟଣା ରାସ୍ତାକୁ ସଂଯୋଗ କରୁଥିବା ଛକରେ ଏକ ଯାତ୍ରୀ ବିଶ୍ରାମାଗାର ଓ ବାୟୋ ଟଏଲେଟ୍ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି। ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ଉକ୍ତ ଛକ ଦେଇ ଯାତାୟାତ କରୁଥିବା ଛାତ୍ରଛାତ୍ରୀ,ଯାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ ନେବାକୁ ଉପଯୁକ୍ତ ସ୍ଥାନ ନାହିଁ। ବିଶେଷକରି ପ୍ରବଳ ଖରା ଓ ବର୍ଷା ସମୟରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶୌଚାଳୟ ଅଭାବରୁ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୃଦ୍ଧବୃଦ୍ଧା, ମହିଳା ଓ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ସମସ୍ୟା ଅଧିକ ଯନ୍ତ୍ରଣାଦାୟକ ହେଉଛି। ଶୌଚାଳୟ ନଥିବାରୁ ଜନସାଧାରଣ ଖୋଲାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ପରିବେଶ ଦୂଷିତ ହେଉଛି। ଏଣୁ ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଦାବି କରିଛନ୍ତି।ଦୀର୍ଘ ଦିନ ଧରି ଏହି ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ଗ୍ରହଣରେ କାହିଁକି ବିଳମ୍ବ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନର ନାକ ତଳେ ଏଭଳି ସମସ୍ୟା ରହିଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ଜନସେବା କେବଳ ଏକ ସ୍ଲୋଗାନ ନୁହେଁ, ଏହା ପ୍ରଶାସନର ଏକ ମୌଳିକ ଦାୟିତ୍ୱ। ଜନସାଧାରଣଙ୍କ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ କରିବା ହେଉଛି ଦାୟିତ୍ୱବାନ ପ୍ରଶାସନର କର୍ତ୍ତବ୍ୟ। ତେଣୁ ପୁରୁଣାପାଟଣାକୁ ସଂଯୋଗ କରୁଥିବା ଏହି ଛକରେ ଶୀଘ୍ର ଏକ ଯାତ୍ରୀ ବିଶ୍ରାମାଗାର ଓ ବାୟୋ ଟଏଲେଟ୍ ନିର୍ମାଣ କରିବା ସହ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପ୍ରଶାସନ ପ୍ରତିଶ୍ରୁତି ଦେଇ ପାଳନ କରିନଥିବା ଅଭିଯୋଗ କରିଛନ୍ତି। ଏହି ବିଷୟରେ ନିର୍ବାହୀ ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।ଏବେ ପ୍ରଶ୍ନ ଉଠୁଛି ଜନସାଧାରଣଙ୍କ ଏହି ମୌଳିକ ସମସ୍ୟାର ସମାଧାନ ହେବ କେବେ? ଲୋକଙ୍କ ପ୍ରତି ପ୍ରଶାସନର ଉତ୍ତରଦାୟିତ୍ୱ କେବେ ପ୍ରତିଫଳିତ ହେବ?
ପୁରୁଣାପାଟଣା ଛକରେ ଯାତ୍ରୀ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ ଦାବି














Leave a Reply