କଟକ: ପୂଜା-ପାର୍ବଣ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏହାକୁ ବନ୍ଦ କିମ୍ବା ଏହା ଉପରେ କଟକଣା ଲଗାଯାଇ ପାରିବ ନାହିଁ। ତେବେ ଉତ୍ସବ ପାଳନ ସମୟରେ ଆଇନଶୃଙ୍ଖଳା ସହ ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ସୁନିଶ୍ଚିତ କରିବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଦଶହରା ପୂର୍ବରୁ ପୂଜାପାର୍ବଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ପାର୍ବଣ ବେଳେ ମଣ୍ଡପ ନିର୍ମାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ, ମାତ୍ର କୌଣସି ପରିସ୍ଥିତିରେ ବି ସର୍ବସାଧାରଣଙ୍କ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ କରାଯାଇପାରିବ ନାହିଁ। କୌଣସି ବ୍ୟକ୍ତି ଯେପରି ନିଜ ଘରକୁ ଯିବାଆସିବା କରିବାରେ ହଇରାଣ ନ ହୁଅନ୍ତି ଏବଂ ଜରୁରିକାଳୀନ ସେବା ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ଯାତାୟାତ ନିମନ୍ତେ ପର୍ଯ୍ୟାପ୍ତ ରାସ୍ତା ଖାଲି ଛାଡ଼ିବାକୁ ପଡ଼ିବ। ଏଥିସହିତ ପୂଜା ମଣ୍ଡପ ଓ ତୋରଣର ଉଚ୍ଚତା ଆଇନ ଅନୁସାରେ ନିର୍ଦ୍ଧାରିତ ମାପ ମଧ୍ୟରେ ରହିବ ଏବଂ ଲାଉଡ୍ସ୍ପିକରର ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ଏହି ମାମଲା ଦାଏର କରିଥିଲେ। ତାଙ୍କ ବାସଭବନ ନିକଟରେ ଗଣେଶ ପୂଜା ଓ ଦଶହରା ସମୟରେ ମଣ୍ଡପ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ଫଳରେ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ଯାଏଁ ରାସ୍ତା ବନ୍ଦ ରହୁଥିବାରୁ ଗ୍ରାମବାସୀଙ୍କ ଯାତାୟାତ ସହ ଆମ୍ବୁଲାନ୍ସ ସେବା ପ୍ରଭାବିତ ହେଉଥିବା ସେ ଅଭିଯୋଗ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ‘ଓଡ଼ିଶା ଅର୍ବାନ ପୋଲିସ ଆଇନ, ୨୦୦୩’ର ଧାରା ୨୯ ଓ ୩୦ ଅନୁଯାୟୀ ରାସ୍ତାରେ ଶୋଭାଯାତ୍ରା, ଜନସମାଗମ, ଲାଉଡ୍ସ୍ପିକର ଶବ୍ଦ ନିୟନ୍ତ୍ରଣ ତଥା ଟ୍ରାଫିକ୍ ଚଳାଚଳ ସ୍ୱାଭାବିକ ରଖିବା ପାଇଁ ପୁଲିସ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ କ୍ଷମତା ପ୍ରଦାନ କରାଯାଇଛି। ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସାମ୍ବିଧାନିକ ଅଧିକାର ହୋଇଥିବା ବେଳେ ତାହା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇପାରିବ ନାହିଁ; ବରଂ ଜନସାଧାରଣଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ସରକାରଙ୍କ ଏହି ନିୟମାବଳୀକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇ ଅଦାଲତ ମାମଲାର ଫଇସଲା କରିଛନ୍ତି।
ପୂଜା କର; ରାସ୍ତା ରୋକନି : ହାଇକୋର୍ଟ













Leave a Reply