ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରାଯାଇଛି। ରାଜ୍ୟପାଳ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ବପାଟିଙ୍କ ସ୍ଥାନ ନେବେ।ଗତ ସୋମବାର ରାଷ୍ଟ୍ରପତି ଭବନରୁ ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କେରଳମ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସିକିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ ଗୌତମଙ୍କୁ ସିକିମ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ ପୂର୍ବରୁ ଝାଡଖଣ୍ଡ ପାଲାମୁରୁ ଏମପି ଥିଲେ । ବର୍ତ୍ତମାନ ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱରେ ଅଛନ୍ତି । ବର୍ତ୍ତମାନ ରାଜ୍ୟପାଳ ହରିବାବୁ କମ୍ବପଟି ୨୦୨୫ ମସିହା ଜାନୁୟରୀ ମାସରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ ।













Leave a Reply