୪୨ ଖଣ୍ଡ ଶାଗୁଆନ କାଠ ଜବତ , ମାଫିଆ ଫେରାର

ମୋହନା : ମେକ୍ସ ପିକ୍‌ଅପ୍‌ରୁ ଜବତ ହେଲା ୪୨ ଖଣ୍ଡ ଶାଗୁଆନ କାଠ। ବନ ବିଭାଗର ଚଢ଼ାଉ ବେଳେ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚୋରା ଚାଲାଣକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳରେ। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଚନ୍ଦ୍ରଗିରି-ଅନ୍ତରବା ଯିବା ରାସ୍ତାର ଜଗନ୍ନାଥପୁର ଛକ ନିକଟରେ ସନ୍ଦେହ ଜନକ ଭାବେ ଯାଉଥିବା ଏକ ମେକ୍ସ ପିକ୍‌ଅପ୍‌ ନଂ-ଓଡ଼ିଠ୭ଏମ୧୩୬୨କୁ ଅଟକାଇଥିଲେ ବନ କର୍ମଚାରୀ । ଗାଡ଼ି ଅଟକିବା ପରେ ଚ଼ାଳକଙ୍କ ସମେତ କିଛି ଯୁବକ ଗାଡ଼ି ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରି ଫେରାର ହୋଇ ଯାଇଥିଲେ। ଗାଡ଼ିକୁ ତନଖିବା ବେଳେ ସେଥିରେ ଚୋରା ଚାଲାଣ ହେଉଥିବା ଶାଗୁଆନ କାଠ ଥିବା ଜଣା ପଡ଼ିଥିଲା। ଯାହାକି ମୋଟ ୪୨ ଖଣ୍ଡ ଶାଗୁଆନ କାଠ ହୋଇଥିବା ବେଳେ ଏହାର ଅନୁମାନିକ ବଜାର ଦର ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ବନଖଣ୍ଡ ଅଧିକାରୀ କେ. ନାଗରାଜୁଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଚନ୍ଦ୍ରଗିରି ଫରେଷ୍ଟର ଗଣେଶ ପ୍ରଧାନ, ବନରଖି ସୂର୍ଯ୍ୟକାନ୍ତ ବାରିକ ଓ ୟୁ. ସୂର୍ଯ୍ୟ ପ୍ରକାଶଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ାଉ ହୋଇଥିଲା। ଜବତ କାଠ ସହ ପିକ୍‌ଅପ୍‌ ଗାଡ଼ିକୁ ବନ ବିଭାଗ ଜବତ କରି ଏହି ଚୋରା କାଠ ଚାଲାଣ ପଛରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *