ପୁରୀ,୨୬/୧୦-ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗତଜନନୀ ମା ଦୁର୍ଗା । ମାଙ୍କ ମେଲାଣି ପରେ ରବିବାର ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଇଛି ।ସୁଖ ଶାନ୍ତି ଓ ଧନଧାନ୍ୟ ସମୃଦ୍ଧି ଲାଗି ସମସ୍ତେ ମା ଗଜଲକ୍ଷ୍ମୀଙ୍କୁ ଆରାଧନା କରିଛନ୍ତି । ଶ୍ରୀକ୍ଷେତ୍ରର ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହୋଇଛି ମା ଗଜଲକ୍ଷ୍ମୀଙ୍କ ପୂଜା । ଉପରମାଳି ସାହି, ତଳମାଳି ସାହି, ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କମିଟି,ବଳଗଣ୍ଡି ଛକ ପୂଜା କମିଟି,ନରେନ୍ଦ୍ର କୋଣ, ଗଜପତି ନଗର, ଶନିମନ୍ଦିର ଛକ ପୁରୀ ଜିଲ୍ଲା ଅଟୋ ଆସୋସିଏସନ , ବଗଲା ଧର୍ମଶାଳା ନିକଟସ୍ଥ ଲାଇଟ ଆଣ୍ଡ ସାଉଣ୍ଡ ସମେତ ବିଭିନ୍ନ ଛକ ଓ ସାହିରେ ପୂଜା କମିଟି ପକ୍ଷରୁ ଧୁମଧାମରେ ମା ଗଜଲକ୍ଷ୍ମୀଙ୍କ ପୂଜା କରାଯାଇଛି । ରଙ୍ଗୀନ ଆଲୋକ ମାଳରେ ଝଲସି ଉଠୁଛି ପୂଜା ମଣ୍ଡପ । ବିଭିନ୍ନ ଡିଜାଇନ ତୋରଣ ଓ ସୁସଜ୍ଜିତ ମଣ୍ଡପ ଆକର୍ଷଣୀ ହୋଇଛି । ପାରମ୍ପରିକ ରୀତିନୀତିରେ ଚକ୍ଷୁଦାନ ସହିତ ରାତିରେ ମା ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥିଲା । ଘଣ୍ଟ ଘଣ୍ଟି ଶବ୍ଦରେ ପ୍ରକମ୍ପିତ ପୂଜାମଣ୍ଡପ । ଧୂପଦୀପ ,ଝୁଣା ଓ ସୁଗନ୍ଧିତ ପୁଷ୍ପ ବାସ୍ନାରେ ମହକୁଛି ମା’ଲକ୍ଷ୍ମୀଙ୍କ ପରିସର । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ପାଠ ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ପୂଜା କମିଟିର ସଦସ୍ଯ ମାନେ ଏକତ୍ରିତ ହୋଇ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ମଣ୍ଡପ ମାନଙ୍କରେ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । ମା ଗଜଲକ୍ଷ୍ମୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ମା ଗଜଲକ୍ଷ୍ମୀଙ୍କ ପୂଜାମଣ୍ଡପ












Leave a Reply