ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ଓଡ଼ିଶା ଉପରୁ ଯାଇନଥିବା ବେଳେ ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ

ଭୁବନେଶ୍ବର : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ଓଡ଼ିଶା ଉପରୁ ଯାଇନଥିବା ବେଳେ ପୁଣି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ସ୍ପଷ୍ଟ କରିଛି। ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ତାହା ଅବପାତ ହେବ କିମ୍ବା ବାତ୍ୟାର ରୂପ ନେବ, ତା’ର କୌଣସି ପୂର୍ବାନୁମାନ କରାଯାଇନାହିଁ। ପୂର୍ବାନୁମାନ କଲା ପରେ ସମ୍ଭାବ୍ୟ ଲଘୁଚାପ କେଉଁ ଦିଗରେ ଉପକୂଳକୁ ଯିବ ଓ କେତେ ତୀବ୍ରତାରେ ପହଞ୍ଚିବ, ତା’ର ବିବରଣୀ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଥାଇଲାଣ୍ଡ ଉପକୂଳ ଅଥବା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଚୀନ୍‌ ସାଗରରୁ ଥାଇଲାଣ୍ଡ ଉପସାଗର ଦେଇ ଯାଇଥିବା ଏକ ସିଷ୍ଟମର ଖଣ୍ଡ ବିଶେଷ। ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବ। ହେଲେ, ଏହା କେତେଦୂର ଘନୀଭୂତ ହେବ ଏବଂ କେଉଁ ଆଡ଼କୁ ଗତି କରିବ, ବର୍ତ୍ତମାନ ସ୍ପଷ୍ଟ ଆକଳନ କରାଯାଇପାରୁନାହିଁ। କିନ୍ତୁ ୟୁରୋପିଆନ୍ ମଡେଲ ଇସିଏମ୍‌ଡବ୍ଲ୍ୟୁଏଫ୍‌ ଆକଳନ ଅନୁଯାୟୀ, ଏହା ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଅବସ୍ଥାରେ ତାମିଲନାଡୁ ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହଁାଇବ। ଆମେରିକାନ୍ ମଡେଲ ଜିଏଫ୍‌ଏସ୍‌ ଅନୁସାରେ, ଏହା ଏକ ଛୋଟଧରଣର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। କିନ୍ତୁ ଶ୍ରୀ ପଶୁପାଳକଙ୍କ କହିବାନୁସାରେ, ଅର୍ଣ୍ଣବ ବାତ୍ୟାର ଘନୀଭୂତ ନେଇ ଉଭୟ ମଡେଲ ଆକଳନ ଠିକ୍ ନଥିଲା। ଅକ୍ଟୋବର ଶେଷ ହୋଇ ନଭେମ୍ବର ଆରମ୍ଭ ହେବାକୁ ଯାଉଛି। ଏହା ହେଉଛି ବାତ୍ୟା ସମୟ। ପୁଣି ଘୂର୍ଣ୍ଣିବଳୟ ଯେଉଁ ସ୍ଥାନରେ ରହିଛି, ବିଗତ ବର୍ଷଗୁଡ଼ିକରେ ସେଠାରେ ଅନେକ ବଡ଼ଧରଣର ବାତ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ସମ୍ଭାବ୍ୟ ସିଷ୍ଟମ ଉପରେ ନଜର ରଖାଯାଇଛି।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହଁାଇବାର ସମ୍ଭାବନା ରହିଛି। ପ୍ରାଥମିକ ଆକଳନ ଅନୁସାରେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ବିଶ୍ବଜିତ୍‌ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି। କେତେ ଦୂର ଘନୀଭୂତ ହେବ ଏବଂ କେଉଁ ଆଡ଼କୁ ଗତି କରିବ, ତାହା ଆଗକୁ ସ୍ପଷ୍ଟ ଆକଳନ କରାଯାଇପାରିବ। କିଛି ବିଦେଶୀ ସଂସ୍ଥା ଆକଳନ କରିଛନ୍ତି ସମ୍ଭବତଃ ଏହା ନଭେମ୍ବର ପହିଲା ବେଳକୁ ଉପକୂଳ ମୁହାଁଇପାରେ।

Leave a Reply

Your email address will not be published. Required fields are marked *