ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ କେନ୍ଦ୍ର କରି ଆଜି ଉତ୍ତେଜନା ଦେଖାଦେଇଛି। ହରିୟାଣା ପୁଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖାଯାଇଥିବା ଜଣେ ଯୁବକଙ୍କ ମୃତଦେହ ମାଲକାନଗିରିର ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତକ ହେଉଛନ୍ତି ଏମଭି-୬୫ ଗ୍ରାମର ତନୁପ ଦେ।
ଏହି ଘଟଣାକୁ ନେଇ ମୃତକଙ୍କ ପରିବାରବର୍ଗ ହରିୟାଣା ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯୁବକଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ହରିୟାଣାର ହାଂସି ଥାନା ପୁଲିସ ମାଲକାନଗିରି ଜିଲ୍ଲାର ଏମଭି-୬୫ ଗ୍ରାମରେ ପହଞ୍ଚି ତନୁପ ଦେଙ୍କୁ ତାଙ୍କ ଘରୁ ନେଇ ଆସିଥିଲା। ଗଞ୍ଜେଇ ଚୋରାଚାଲାଣ ସହ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ତାଙ୍କୁ ଅଟକ ରଖିଥିଲା।
ଏହାପରେ ଯୁବକଙ୍କୁ ମାଲକାନଗିରିର ହୋଟେଲ ମାଲକାନଗିରି ଇନ୍ରେ ରଖାଯାଇଥିଲା। ତେବେ ଆଜି ସକାଳେ ହୋଟେଲ ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଛି।












Leave a Reply