ଏଥର ପୂଜାମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଚଳିତ ପାର୍ବଣ ସମୟରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଓ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର ଦୁର୍ଗାପୂଜା ସମୟରେ ସେ କୌଣସି ପୂଜା ମଣ୍ଡପ ବୁଲିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ନିକଟରେ ହୋଇଥିବା ବନ୍ୟା ଯୋଗୁଁ ଚାଷୀ ଭାଇ ଓ ଭଉଣୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷଜମିରେ ପାଣି ପଶିବା ସହ ପସଲ ନଷ୍ଟ ହୋଇଥିବାରୁ କୃଷକ ପରିବାରଗୁଡ଼ିକ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଚାଷୀଙ୍କର ଏହି କଷ୍ଟକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ପରିକ୍ରମା ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ସବ ମାହୋଲ ଅପେକ୍ଷା ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, କ୍ଷତିପୂରଣ ଆକଳନ ଏବଂ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପ୍ରଶାସନର ପ୍ରାଥମିକତା ହେବା ଦରକାର ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ପ୍ରଭାବିତ ଚାଷୀଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Leave a Reply

Your email address will not be published. Required fields are marked *