ଆସନ୍ତ୨୨ରୁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ଥାଇଲାଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଛି। ଆସନ୍ତାକାଲି(ଶନିବାର) ସନ୍ଧ୍ୟା ସୁଦ୍ଧା ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନ ରହିଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହଁାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଏବଂ ଅନ୍ୟ ପାଣିପାଗ ବିଜ୍ଞାନୀ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ ବୋଲି କହୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ଏହା ଉପରେ କିଛି ସ୍ପଷ୍ଟ କରିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ଏବଂ ଗତିପଥ ଉପରେ ସ୍ପଷ୍ଟତା ଆସିବ ବୋଲି ଆଇଏମ୍‌ଡି କହି ଆସୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୨ ତାରିଖରୁ ୩ ଦିନ ଧରି ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେଉଥିବା ଦେଖାଯାଉଛି। ୧୯ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ଆହୁରି ଘନୀଭୂତ ହୋଇପାରେ। ବିଶ୍ୱ ଓ ଭାରତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେଧୀରେ ଶକ୍ତିଶାଳୀ ହୋଇପାରେ। ଅବପାତ ଏବଂ ପରେ ଗଭୀର ଅବପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁ ନାହିଁ। କିନ୍ତୁ ଏଥିରେ ସମସ୍ତ ମଡେଲ୍‌ ଏ ପର୍ଯ୍ୟନ୍ତ ଏକମତ ହୋଇନାହାନ୍ତି। ଇସିଏମ୍‌ଡବ୍ଲ୍ୟୁଏଫ୍‌, ଇପିଏସ୍‌ ଓ ଜିଏଫଏସ୍‌, ଜିଇଏଫଏସ୍‌ ଆକଳନରେ ପୂର୍ବ ତୁଳନାରେ ଗତିପଥ କିଛି ଅଧିକ ଉତ୍ତର ଆଡ଼କୁ ଯାଉଥିବା ସଙ୍କେତ ମିଳୁଛି। ଫଳରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ଉପରେ ନଜର ବଢ଼ିଛି। ୨୨ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିପାରେ। ୨୩ରୁ ୨୫ତାରିଖ ମଧ୍ୟରେ ମୁଖ୍ୟ ବର୍ଷା ସମୟ ହୋଇପାରେ। ଗତିପଥ ଉତ୍ତର ଆଡ଼କୁ ରହିଲେ ଉପକୂଳ, ଉତ୍ତର ଉପକୂଳ ଓ ଏହାକୁ ଲାଗିଥିବା ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ବର୍ଷାର ସମ୍ଭାବନା ରହିବ। ଗତି ଧୀର ହେଲେ ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିପାରେ।

Leave a Reply

Your email address will not be published. Required fields are marked *