ବାଂଲାଦେଶ କକ୍ସ ବଜାର ରିସୋର୍ଟରେ ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ

ଢାକା: ବାଂଲାଦେଶ କକ୍ସ ବଜାର ଜିଲାର କୋଲାତଲିର ସମୁଦ୍ର କୂଳରେ ଥିବା ‘ଟୁପ୍‌ଟୁପ୍‌ ରେଷ୍ଟୋ ଆଣ୍ଡ ରିସର୍ଟ’ ରିସୋର୍ଟରେ ଶନିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ସାମିଲ ଅଛନ୍ତି। କିଛି ଲୋକ ଛାତରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ତିନି ମହଲା ବିଶିଷ୍ଟ ଏହି ରିସୋର୍ଟଟି କାଠ ଓ ବାଉଁଶରେ ତିଆରି ହୋଇଥିଲା। ନିଆଁରେ ଏହା ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ରିସୋର୍ଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିଲା। ଗତ ଜୁନରେ ଯାଞ୍ଚ ସମୟରେ ଅଧିକାରୀମାନେ ଏହାକୁ ନେଇ ଚେତାବନୀ ମଧ୍ୟ ଦେଇଥିଲେ। ମାତ୍ର ରିସୋର୍ଟ ମାଲିକ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ବିଦ୍ୟୁତ୍ ତାରରେ ସର୍ଟ ସର୍କିଟ୍ ହେବାରୁ ଏହି ନିଆଁ ଲାଗିଥିଲା । ପରେ ଏହା ଏୟାର କଣ୍ଡିସନରକୁ ବ୍ୟାପୀ ଯାଇଥିଲା। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ଏହା ଦ୍ରୁତ ଗତିରେ ବ୍ୟାପୀ ଯାଇ ସମଗ୍ର ରିସୋର୍ଟକୁ ନିଜ କବଳକୁ ନେଇଥିଲା। ନିଆଁ ଲାଗିବା ସମୟରେ ରିସର୍ଟରେ ପ୍ରାୟ ୩୦ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଯେକୌଣସି ପ୍ରକାରେ ବାହାରକୁ ଆସିବାରେ ସଫଳ ହୋଇଥିଲେ। ଅନ୍ୟମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *