ଗ୍ରାମାଞ୍ଚଳର ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଅତାବିରା : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ରବିବାର ଦିନ ବରଗଡ଼ ଜିଲ୍ଲା ନୂଆଖାଇରପାଲି ଗ୍ରାମସ୍ଥିତ କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା STEM ଲ୍ୟାବ୍,ଏରୋମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ଲ୍ୟାବ୍‌ର ଉଦ୍‌ଘାଟନ କରିଛନ୍ତି। ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକ ନବସୃଜନ ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରୀ ମାନଙ୍କୁ ସଶକ୍ତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି।ଏହି ଅବସରରେ ଉଦ୍‌ ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରତିଭା କେବେ ବି ପରିସ୍ଥିତିର ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଉଚିତ ନୁହେଁ।ପ୍ରତ୍ୟେକ ଛାତ୍ରୀଙ୍କୁ ନିଜର ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରିବାର ସୁଯୋଗ ମିଳିବା ଆବଶ୍ୟକ।ଏହି ଅତ୍ୟାଧୁନିକ ସୁବିଧା ଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଓ ନବସୃଜନର ମନୋଭାବ ବିକଶିତ କରିବା ସହ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ।STEM ଲ୍ୟାବ୍ ମାଧ୍ୟମରେ ବିଜ୍ଞାନ ଓ ଗଣିତରେ ପ୍ରୟୋଗଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ।ଏରୋମଡେଲିଂ ତାଲିମ କେନ୍ଦ୍ର ଛାତ୍ରଛାତ୍ରୀଙ୍କୁ ବିମାନ ଉଡ଼ାଣ, ନକ୍ସା ପ୍ରସ୍ତୁତି ଓ ଇଞ୍ଜିନିୟରିଂ ସମ୍ପର୍କରେ ଜ୍ଞାନ ପ୍ରଦାନ କରିବ। ସେହିପରି,ଏଆଇ ଲ୍ୟାବ୍ ଭବିଷ୍ୟତର ବୈଷୟିକ ଜଗତକୁ ପ୍ରଭାବିତ କରୁଥିବା କୃତ୍ରିମ ବୁଦ୍ଧିମତ୍ତା ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବ।ଏହାଦ୍ୱାରା ବିମାନ ଚଳାଚଳ, ରୋବୋଟିକ୍ସ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟପାଳ କହିଛନ୍ତି।ଆଧୁନିକ ବିଜ୍ଞାନ ଭିତ୍ତିକ ଶିକ୍ଷାକୁ ସହରାଞ୍ଚଳରୁ ଦୂରଦୂରାନ୍ତର ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରତିଭା ଓ ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସେ କହିଥିଲେ।ଛାତ୍ରଛାତ୍ରୀ,ବିଶେଷକରି ଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା,ଯୁକ୍ତିସଙ୍ଗତ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତାର ବିକାଶ କରିବା ସହ ଏହି ସୁବିଧାଗୁଡ଼ିକର ସର୍ବାଧିକ ଉପଯୋଗ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଦୂରଦର୍ଶୀ ଅଧ୍ୟକ୍ଷ ସ୍ୱର୍ଗତ ଗନ୍ନିମାନି ଆନନ୍ଦ ରାଓଙ୍କ ପ୍ରତି ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କୃଷକ ପରିବାରରୁ ଆସି ଜଣେ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ଲାଭ କରିବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନ ପ୍ରେରଣାଦାୟକ ବୋଲି ସେ କହିଥିଲେ।ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର, ଶୈକ୍ଷିକ ଉତ୍କର୍ଷତା,କ୍ରୀଡ଼ା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରି ଥିଲେ।ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ,ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ,ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ବରଗଡ ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ଶତପଥୀ,ବୋଇଂ ଇଣ୍ଡିଆର ସିଏସ୍‌ଆର୍ ମୁଖ୍ୟ ପ୍ରବୀଣା ୱାଇ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ।ଏହା ପୂର୍ବରୁ ମାନ୍ୟବର ରାଜ୍ୟପାଳ ଅତାବିରାଠାରେ ଆୟୋଜିତ ୨୩ତମ କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଘର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ସାଂସ୍କୃତିକ ସଦ୍‌ଭାବ,ପାରସ୍ପରିକ ସମ୍ମାନ ଏବଂ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ରାଜ୍ୟପାଳ କହିଥିଲେ ଯେ ଆନ୍ଧ୍ର ସମ୍ପ୍ରଦାୟର ଅନେକ ପରିବାର ଛଅ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଆସି ବସବାସ କରି ଥିଲେ। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ଅନେକ ପରିବାର ପାଇଁ ନୂତନ ଜୀବିକା ଓ ସୁଯୋଗର ଦ୍ୱାର ଖୋଲିଥିଲା। କାଳକ୍ରମେ ଏହି ସମ୍ପ୍ରଦାୟ ନିଜର ତେଲୁଗୁ ଭାଷା,ପରମ୍ପରା ଓ ସଂସ୍କୃତିକୁ ସଂରକ୍ଷିତ ରଖିବା ସହ ସ୍ଥାନୀୟ ଜନସାଧାରଣ ଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ତୋଳିଛନ୍ତି।ଉଗାଦି ଓ ସଂକ୍ରାନ୍ତି ଭଳି ପର୍ବପର୍ବାଣୀ ମାଧ୍ୟମରେ ସାଂସ୍କୃତିକ ଆଦାନପ୍ରଦାନ ଓ ପିଢ଼ି ପରେ ପିଢ଼ି ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାରେ ସଂଘର ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ପରମ୍ପରାର ସଂରକ୍ଷଣ,ନୂତନ ପିଢ଼ିକୁ ସଂସ୍କୃତି ସହ ଯୋଡ଼ି ରଖିବା ଏବଂ ସାମାଜିକ ଜୀବନକୁ ସମୃଦ୍ଧ କରିବାରେ ମହିଳାମାନଙ୍କ ଅବଦାନକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ।ପ୍ରସ୍ତାବିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହା ଭବିଷ୍ୟତ ରେ ଭକ୍ତି,ସଂସ୍କୃତି,ଶିକ୍ଷା ଓ ସମାଜସେବାର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହୋଇପାରିବ। ଯୁବପିଢ଼ି ନିଜର ତେଲୁଗୁ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବା ସହ ବୈଷୟିକ ଜ୍ଞାନ ଓ ନବ ସୃଜନକୁ ଆପଣାଇବା ଉଚିତ ବୋଲି ସେ କହି ଥିଲେ।ଶିକ୍ଷା,ଉଦ୍ୟୋଗ,କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅଧିକ ସହଯୋଗ ପାଇଁ ସେ ଆହ୍ୱାନ ଜଣାଇଥିଲେ।ଏହି ସାଂସ୍କୃତିକ ସମାରୋହରେ ମାନ୍ୟବର ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏବଂ ଫ୍ଲୁଏଣ୍ଟ ଗ୍ରିଡ୍‌ର ସିଇଓ ଗନ୍ନିମାନି ମୁରଲୀ କୃଷ୍ଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *