ଦୀର୍ଘ ୧୯ ଘଣ୍ଟା ପରେ ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର:ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପଞ୍ଚବକ୍ର ଦେବଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ମନ୍ଦିର ପ୍ରଶାସନର ହସ୍ତକ୍ଷେପ ଏବଂ ଦୁଇ ନିଯୋଗ ସହଯୋଗରେ ବିବାଦର ଅନ୍ତ ଘଟିଛି। ପ୍ରାୟ ୧୯ ଘଣ୍ଟା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ଗତକାଲି ରାତିରୁ ପଞ୍ଚବକ୍ରଙ୍କ ବିଜେକୁ ନେଇ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା। ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତି ବନ୍ଦ ରହିଥିଲା। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ସକାଳେ ମନ୍ଦିର ଖୋଲିଥିଲେ ହେଁ ନୀତିକାନ୍ତ ସ୍ବାଭାବିକ ହୋଇନଥିଲା। ଦିଅଁ ଗତକାଲିଠାରୁ ଉଜାଗର ଓ ଅପୂଜା ରହିଥିଲେ। ଏବେ ବିବାଦର ଅନ୍ତ ଘଟିଥିବା ବେଳେ ମହାସ୍ନାନ, ମଙ୍ଗଳଆଳତି ଏବଂ ଅବକାଶ ସହିତ ଅନ୍ୟାନ୍ୟ ନୀତି କରାଯାଇଥିଲା।  ପୂର୍ବପରି ନୀତିକାନ୍ତି ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ଏକ ଲିଖିତ ନକଲ ଶ୍ରୀଲିଙ୍ଗରାଜ ଥାନାକୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *