ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ , ଶେଷରେ ଭାଙ୍ଗିଲେ ମଦ ଭାଟି

ମୋହନା: ଗାଁରେ ଦୀର୍ଘ ଦିନ ଧରି ମଦ ଭାଟି ଚାଲିଲା। ଫଳରେ ଅଶାନ୍ତିର ବାତାବରଣ ବଢିବା ସହ ପରିବାରରେ ଲାଗିଲା କଳି। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଶେଷରେ ଆଉ ଚୁପ୍ ରହିଲେନି ଗାଁର ମହିଳାମାନେ। ଏକାଠି ହେଲେ ଆଉ ନଦୀ କୂଳରେ ପହଞ୍ଚିଲେ। ନିଜ ହାତରେ ଠେଙ୍ଗାବାଡ଼ି ଦ୍ୱାରା ଭାଙ୍ଗିଦେଲେ ବେଆଇନ ମଦ ଭାଟି। ରନ୍ଧା ହୋଇଥିବା ମହୁଲି ମଦ ଓ ପୋଚ଼ ନଷ୍ଟ କରିଦେଲେ। ଭାଟିରେ ରଖାଯାଇ ଥିବା ସାମଗ୍ରୀ ସବୁକୁ ଗାଁକୁ ଉଠାଇ ଆଣିଲେ।ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗରଡମା ପଞ୍ଚାୟତ ଅଧିନ ପଦାସାହି ଗାଁରେ । ଦୀର୍ଘଦିନ ଧରି ବେଆଇନ ଭାବେ ଚାଲିଥିବା ମଦ ଭାଟିକୁ ଅବକାରୀ ବିଭାଗ କିମ୍ବା ପୁଲିସ ପ୍ରଶାସନ ଜାଣି ନ ପାରିବା ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଯାହାକୁ ନେଇ ମହିଳାମାନେ ଉତ୍ତେଜିତ ହୋଇ ଏଭଳି କାମ କରିବା ପାଇଁ ବାଧ୍ୟ ହୋଇଥିବା କହିଛନ୍ତି । ଦୀର୍ଘ ବର୍ଷ ଧରି ଏଠାରେ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିଲା । ଗାଁର ହାଡ଼ି ବିଷୋୟୀ ଏହି କାରବାର ଚଳାଉଥିବା ନେଇ ଅଭିଯୋଗ କରିଛନ୍ତି ମହିଳାମାନେ।ମଦ ବିକ୍ରିକୁ ନେଇ ଗାଁରେ ବଢ଼ୁଥିଲା ଅଶାନ୍ତି। ମଦ ପିଇ ଘରେ ଘରେ କଳି, ଝଗଡ଼ା ଓ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଥିଲା । ଶେଷରେ ମହିଳାମାନେ ଧର୍ଯ୍ୟଚ୍ୟୁତ ହୋଇ ଆରମ୍ଭ କରିଥିଲେ ‘ମଦ ଭାଟି ହଟାଅ’ ଅଭିଯାନ। ମଦ ମାଫିଆ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ ତା ଉପରେ ଅଞ୍ଚଳବାସୀଙ୍କ ନଜର।

Leave a Reply

Your email address will not be published. Required fields are marked *