ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିବଙ୍ଗତ ପିତାଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବିବାଦୀୟ ମନ୍ତବ୍ୟ ଏବେ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି । ବିଜେପି ଏହାର ତୀବ୍ର ସମାଲୋଚନା କରିଛି । ଖଡଗେଙ୍କ ମନ୍ତବ୍ୟ କେବଳ ମୋଦିଜୀଙ୍କ ଦିବଙ୍ଗତ ପିତାଙ୍କ ପ୍ରତି ଅପମାନ, ସେତିକି ନୁହେଁ, ଏହା ସାରା ଦେଶର ଅପମାନ ବୋଲି ବିଜେପି କହିଛି । ଉଲ୍ଲେଖଯୋଗ୍ୟ ଯେ ବିହାର ରାଜଧାନୀ ପାଟନାଠାରେ ରବିବାର ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକ୍ରିଷ୍ଣ ସିଂଙ୍କ ୧୩୯ତମ ଜୟନ୍ତୀ ଉତ୍ସବରେ ଖଡଗେ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଭାଷଣ ପ୍ରସଙ୍ଗରେ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହଟାଇବାକୁ ଆହ୍ୱାନ ଦେଉଥିଲେ । ଠିକ୍ ଏହି ସମୟରେ ଜଣେ ଦର୍ଶକ ସଭା ମଧ୍ୟରେ ଠିଆହୋଇ ମୋଦୀ ହଟିବେ ନାହିଁ ବୋଲି କହିଥିଲେ । ତାଙ୍କ କଥା ନ ସରୁଣୁ ଏଥିରେ ଉତକ୍ଷିପ୍ତ ହୋଇ ଖଡ୍ଗେ କହିଥିଲେ-‘ମୋଦୀ କା ବାପ୍ ଭି ଯାୟେଗା’ ଅର୍ଥାତ ମୋଦୀଙ୍କ ବାପା ବି ଯିବେ । କେବଳ ଥରେ ନୁହଁ, ଏହି ଗୋଟିଏ ବାକ୍ୟ ସେ ୩ ଥର ଉଚ୍ଚାରଣ କରିଥିଲେ । ଏହି ଘଟଣା ପରେ କଂଗ୍ରେସ କର୍ମୀମାନେ ସନ୍ତୋଷ କୁମାର ନାମକ ଉକ୍ତ ଦର୍ଶକଙ୍କୁ ପଦାକୁ ବାହାର କରିଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ବିଜେପି ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ନିଜ ବକ୍ତବ୍ୟ ସମ୍ପର୍କରେ ସନ୍ତୋଷ କୁମାର କହିଛନ୍ତି, ସେ ପ୍ରକୃତରେ ଚାହାନ୍ତି ମୋଦୀ ଯାଆନ୍ତୁ, ସେ ସେଇକଥା ହିଁ କହୁଥିଲେ । କିନ୍ତୁ ତାଙ୍କ କଥାର ଭୁଲ୍ ଅର୍ଥ ବାହାର କରାଗଲା ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଡ଼ା ପ୍ରତିବାଦ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋସିଆଲ ମିଡିଆ ‘ଏକ୍ସ’ରେ ଶାହା କହିଛନ୍ତି କଂଗ୍ରେସ ସାଧାରଣ ଶିଷ୍ଟାଚାର ଭୁଲିଗଲାଣି । ମୋଦୀଜୀ ଏବଂ ତାଙ୍କ ପରିବାର ବିଷୟରେ ଏହା କଂଗ୍ରେସର ପ୍ରଥମ ଆପତ୍ତିଜନକ ଶବ୍ଦ ନୁହେଁ । ମୋଦୀଜୀଙ୍କୁ ମୃତ୍ୟୁର ସୌଦାଗର, ଚା ବାଲା ଆଦି କହି ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ବିଜେପି ସଭାପତି ନିତିନ ନବୀନ କହିଛନ୍ତି, କଂଗ୍ରେସ ପାଖରେ ଯେତେବେଳେ ପ୍ରସଙ୍ଗ ନ ଥାଏ, ସେତେବେଳେ ଦଳର ନେତା ଏଭଳି ବ୍ୟକ୍ତିଗତ ଆକ୍ଷେପ କରନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ କହିଛନ୍ତି, ଖଡ୍ଗେଜୀ କେବଳ ଏକ ଆପ୍ତବାକ୍ୟ ହିଁ କହିଛନ୍ତି, ମୋଦୀ ୟା ଠୁ ଆହୁରି ଅନେକ ଖରାପ ଭାଷା ପ୍ରୟୋଗ କରିଛନ୍ତି ।













Leave a Reply