ଟେଲିକମ୍ କମ୍ପାନୀଙ୍କୁ ଟ୍ରାଇର ନିର୍ଦେଶ; ଆସିବ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌ ଥିବା ରିଚାର୍ଜ ଭାଉଚର୍

ନୂଆଦିଲ୍ଲୀ : ଭାରତୀୟ ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ଟେଲିକମ୍ ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କେବଳ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌ ଥିବା ରିଚାର୍ଜ ଭାଉଚର୍ ଆଣିବା ବାଧ୍ୟତାମୂଳକ କରାଯାଇଛି। ଫଳରେ ଡାଟା ପ୍ୟାକ୍ ଆବଶ୍ୟକ କରୁ ନଥିବା ଜଣେ ଗ୍ରାହକ ଅଳ୍ପ ମୂଲ୍ୟରେ ମୋବାଇଲ ରିଚାର୍ଜ କରିପାରିବେ। ପୂର୍ବରୁ ଭଏସ୍ କଲ୍ ଓ ଏସ୍ଏମଏସ୍ ସହିତ ଡାଟା ପ୍ୟାକ୍‌ଗୁଡିକ ମିଶ୍ରଣ କରି ବଜାରକୁ ଛଡାଯାଉଥିଲା। ଫଳରେ ବରିଷ୍ଠ ନାଗରିକ, ସାଧାରଣ ଫିଚର ଫୋନ୍ ବ୍ୟବହାରକାରୀ ଓ ଗ୍ରାମାଞ୍ଚଳର ଲୋକମାନେ ଇଣ୍ଟରନେଟ୍/ଡାଟା ବ୍ୟବହାର କରୁ ନଥିଲେ ମଧ୍ୟ ଅଧିକ ମୂଲ୍ୟର ଏହି ଡାଟା ରିଚାର୍ଜ ଭାଉଚରକୁ ଆପଣାଇବାକୁ ବାଧ୍ୟ ହେଉଥିଲେ। ଏବେ କେବଳ ଭଏସ୍ କଲ୍‌ ଓ ଏସ୍‌ଏମ୍ଏସ୍ ସୁବିଧା ଥିବା ଭାଉଚରକୁ ସେମାନେ କମ୍ ମୂଲ୍ୟରେ କିଣିପାରିବେ। ଏହା ସହିତ ପୂର୍ବରୁ ପ୍ରତ୍ୟେକ ରିଚାର୍ଜର ଅବଧି ୨୮ଦିନ ରହୁଥିବାବେଳେ ଏବେ ପ୍ରତ୍ୟେକ ରିଚାର୍ଜ ଭାଉଚରର ଅବଧି ୩୦ ଦିନ ରଖିବା ବାଧ୍ୟତାମୂଳକ। ଟ୍ରାଇ ନୂଆ ନିୟମ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ତେଣୁ ଅକ୍ଟୋବର ଶେଷ ସପ୍ତାହରୁ ଟେଲିକମ୍ କମ୍ପାନୀଗୁଡିକ ଏହି ନୂଆ ପ୍ରକାର ରିଚାର୍ଜ ସୁବିଧାକୁ ଗ୍ରାହକଙ୍କ ନିମନ୍ତେ ବଜାରକୁ ଛାଡିବେ।

Leave a Reply

Your email address will not be published. Required fields are marked *