ଚାଲିଲାନି ୫ଜି ନେଟୱର୍କ : କର୍ମଚାରୀଙ୍କୁ ବାନ୍ଧିଦେଲେ ଗାଁ ଲୋକେ

ଫତେଗଡ : ୟୁ.ପି ଫତେଗଡ ଜିଲାର ହରଦୌଲି ଅଂଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁରେ ଥିବା ୫ଜି ନେଟୱର୍କ କାମ ନ ଦେବାରୁ ଗାଁ ଲୋକେ ସଂପୃକ୍ତ ନେଟୱର୍କ କମ୍ପାନୀର ଜଣେ କର୍ମଚାରୀଙ୍କୁ ଟାୱାର ଦେହରେ ବାନ୍ଧି ଦେଇଛନ୍ତି । ପରେ ପୋଲିସ ପହଂଚି ତାଙ୍କୁ ଉଦ୍ଧାର କରିଥିଲା ।
ଖବର ନେବାରୁ ଜଣାପଡିଛି ଯେ, ହରଦୌଲି ଅଂଚଳର ଏହି ଗାଁରେ ଗତ ପ୍ରାୟ ୨ ବର୍ଷ ତଳେ ୫ଜି ଟେଲିଫୋନ୍ ଟାୱାର ବସିଥିଲା । ଲୋକେ ଘରକୁ ୱାଇଫଇ କନେକ୍‌ସନ ନେଇଗଲେ । ୫ଜି ମୋବାଇଲ ବି କିଣିଦେଲେ । ହେଲେ ଦୁଃଖ ହେଉଛି, ଏ ଖୁସି ବେଶିଦିନ ରହିଲାନି । କାରଣ ଟାୱର ବସିବାର କିଛିଦିନ ପରେ ନେଟୱର୍କ ସ୍ଲୋ ହୋଗଇଲା । ନା ୱାଇଫାଇ କାମ କଲା, ନା ମୋବାଇଲ ଫୋନ୍ । ଲୋକେ ଏ ନେଇ ସଂପୃକ୍ତ ମୋବାଇଲ ନେଟୱର୍କ କମ୍ପାନୀକ କର୍ତୃପକ୍ଷଙ୍କ ନିକଟରେ ଯେତେ ଅଭିଯୋଗ କଲେ ବି କିଛି ଲାଭ ମିଳିଲାନି । ଗୁରୁବାର ଏହି ମୋବାଇଲ ନେଟୱର୍କ କମ୍ପାନୀର ଜଣେ କର୍ମଚାରୀ ଆଦିତ୍ୟ ସିଂ ଟାୱାର ଦେଖିବାକୁ ଆସିଥିବା ବେଳେ ପୂର୍ବରୁ ତାତି ରହିଥିବା ଗାଁ ଲୋକେ ତାଙ୍କୁ ବେଢିଗଲେ । ସେ ଯେତେ ନେହୁରା ହେଲେ ବି ତାଙ୍କ କଥା କେହି ଶୁଣିଲେନି । ଓଲଟି ରଶି ଲଗାଇ ତାଙ୍କୁ ଟାୱାର ଦେହରେ ବାନ୍ଧି ପକାଇଲେ । କମ୍ପାନୀର ଉଚ୍ଚ କର୍ତୃପକ୍ଷ ନ ଆସିବା ଯାଏ ତାଙ୍କୁ ଛଡାଯିବନି ବୋଲି ଲୋକେ ନିଜ ଯିଦ୍‌ରେ ଅଟଳ ରହିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରିବା ସହ ଆଦିତ୍ୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଆଦିତ୍ୟ ସ୍ଥାନୀୟ ଥାନାରେ ଏଫଆଇଆର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *