ନୂଆଦିଲ୍ଲୀ: ଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ୧୮ଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ବିଶ୍ବର ପ୍ରମୁଖ ରାଷ୍ଟ୍ରନେତା ଭାରତ ଗସ୍ତ ଆସିବେ। ଏହି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବ୍ରିକ୍ସ ସମ୍ମିଳନୀ ନିମନ୍ତେ ଜିନ୍ପିଙ୍ଗଙ୍କ ଭାରତ ଗସ୍ତ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ସ୍ପଷ୍ଟ କରିଛି। ଦୀର୍ଘ ୭ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଏପରି କି ସୀମାନ୍ତ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଜିନ୍ପିଙ୍ଗ ପ୍ରଥମ କରି ଭାରତ ଗସ୍ତରେ ଆସିବେ। ୨୦୧୯ ଅକ୍ଟୋବରରେ ଜିନପିଙ୍ଗ ଶେଷ ଥର ପାଇ ଭାରତ ଗସ୍ତ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଜିନ୍ପିଙ୍ଗ ଶନିବାର (ସେପ୍ଟମ୍ବର ୧୨) ତାରିଖ ସକାଳେ ନୂଆଦିଲ୍ଲୀରେ ପହଞ୍ଚିବେ ଓ ୧୩ ତାରିଖରେ ସ୍ବଦେଶ ପ୍ରତ୍ୟାଗମନ କରିବେ। ବ୍ରିକ୍ସ ସମ୍ମିଳନୀ ଅବସରରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ।
ଏହି ସମ୍ମିଳନୀ ନିମନ୍ତେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଭାରତ ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ପରେ ସେ ଶନିବାର ବ୍ରିକ୍ସ ସମ୍ମଳନୀରେ ଯୋଗ ଦେବେ। ପୁଟିନଙ୍କ ଗସ୍ତର ପ୍ରସ୍ତୁତି ଓ ସୁରକ୍ଷା ନିମନ୍ତେ ରୁଷ୍ର ତିନିଟି ଯୁଦ୍ଧବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ରୁଷ୍ ଯୁଦ୍ଧ ବିମାନଗୁଡିକ ଗ୍ରେଟର ନଇଡାସ୍ଥିତ ନଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ଏହି ଯୁଦ୍ଧବିମାନ ମଧ୍ୟରେ ରହିଛି ରୁଷ୍ ଆଇଏଲ୍-୭୬ ପରିବହନକାରୀ ଯୁଦ୍ଧବିମାନ। ଏଥିରେ ରୁଷ୍ର ସୁରକ୍ଷା ବାହିନୀ ଓ ପ୍ରତିରକ୍ଷା ଅଧିକାରୀମାନେ ଆସିଛନ୍ତି। ସେମାନେ ପୁଟିନଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ପୁଟିନ ତାଙ୍କର ଭାରତ ଗସ୍ତ କାଳରେ ନୂଆଦିଲ୍ଲୀର ହୋଟେଲ ମୟୂରରେ ଅବସ୍ଥାନ କରିବେ। ଏଥିପାଇଁ ହୋଟେଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।














Leave a Reply