ତପ୍ତପାଣି ନିକଟରେ ଭୂସ୍ଖଳନ, ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ଠପ୍‌

ମୋହନା: ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ମୋହନା ବ୍ଲକରେ ନାହିଁ ନ ଥିବା କ୍ଷତି ଘଟିଛି । ବୁଧବାର ଅପରାହ୍ନରେ ମୋହନା ପଞ୍ଚାୟତ ଅଧୀନ ଖାରିଗୁଡ଼ା, ଲେକାପଦର, ଗେଣ୍ଡାପଦର, ହୁଏରୀ ଗ୍ରାମକୁ ସଂଯୋଗ କରୁଥିବା ଖାରିଗୁଡ଼ା ଗାଁ ନିକଟ କଲଭର୍ଟ ପାହାଡ଼ିଆ ବନ୍ୟା ଜଳରେ ଭାସିଯାଇଛି । ଯାହାଫଳରେ ଶହଶହ ଲୋକ ଏକ ପ୍ରକାର ଜଳବନ୍ଦୀ ହୋଇପଡିଛନ୍ତି । ମୋହନା ସହର ଉପରେ ନିର୍ଭର କରୁଥିବା ଅନ୍ୟାନ୍ୟ ସ୍ଥାନର ଲୋକେ ପ୍ରତିଦିନ ଏଠାକୁ ଆସି ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇଥାନ୍ତି। କିନ୍ତୁ ସିମେଣ୍ଟ ହୋମ ପାଇପ ଦ୍ୱାରା ନିର୍ମାଣ କରାଯାଇଥିବା କଲଭର୍ଟଟି ବନ୍ୟା ଜଳରେ ଭାସି ଯିବା ଫଳରେ ଗମନାଗମନ ଠପ୍ ହୋଇଯାଇଛି । ଆଜି ଘଟଣା ସ୍ଥଳରେ ମୋହନା ବିଡ଼ିଓ ରାଜୀବ ଦାଶ ଓ ତହସିଲଦାର ପହଞ୍ଚି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ଷା କମିବା ପରେ ଯଥାଶୀଘ୍ର ସେଠାରେ ପୋଲ ନିର୍ମାଣ କରାଯିବ ବୋଲି ଉଭୟ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ତ୍ତି ବିଭାଗ ପକ୍ଷରୁ ଏହି ବାଟେ ନଯିବାକୁ ବାରଣ କରାଯାଇଛି । ଅପରପକ୍ଷେ ମୋହନା କଲେଜ ଛକ ନିକଟ ଲେଡ଼ବନ୍ଧ ନିକଟ ଜାତୀୟ ରାଜପଥ ବର୍ଷ ଜଳରେ ଧୋଇ ହୋଇଯାଇ ଗର୍ତ୍ତମାନ ସୃଷ୍ଟି ହୋଇ ରାସ୍ତା ଦବି ଯାଇଛି। ଯାହା ଫଳରେ ବ୍ରହ୍ମପୁର ଠାରୁ ମୋହନା, ରାୟଗଡ଼ା, କୋରାପୁଟ, ଜୟପୁର, ମାଲକାନଗିରି, ମୋଟୁ, ଇନ୍ଦ୍ରାବତୀ , ନବରଙ୍ଗପୁର ଆଦି ଜିଲ୍ଲାକୁ ଗମନାଗମନ କରିବା ବନ୍ଦ ହୋଇଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉଭୟ ପାର୍ଶ୍ୱକୁ ବ୍ୟାରିକେଟ ଦେଇ ଯାତାୟତ ବନ୍ଦ କରିଦେଇଛନ୍ତି । ସେହିଭଳି ଆଜି ମଧ୍ୟାହ୍ନରେ ତପ୍ତପାଣି ନିକଟ ବେଲଗଡ଼ ଗ୍ରାମ ଠାରେ ଭୂସ୍ଫଳନ ଘଟିବାରୁ ପାହାଡ଼ ଧସି ଜାତୀୟ ରାଜପଥ ୩୨୬ ଉପରେ ପଥରଖଣ୍ଡ ଓ ମାଟି ଗଦା ହୋଇଯାଇଛି । ସେହି ସ୍ଥାନରେ ବ୍ୟାରିକେଟ କରାଯିବା ସହ ସେହି ବାଟ ଦେଇ ଚ଼ଳପ୍ରଚଳ ନ କରିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *