ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ବ୍ଲକ୍ରେ ପ୍ରାକୃତିର ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁଁ ସମଗ୍ର ଅଞ୍ଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ରାସ୍ତା ଉପରେ ମାଟି ଓ ବିଶାଳ ପଥର ଧସି ପଡ଼ିବା ସହ ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଅଚାନକ ପାହାଡ଼ରୁ ମାଡ଼ି ଆସିଥିବା ବର୍ଷାଜଳ ଓ ଭୂସ୍ଖଳନ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ବିଶେଷ କରି ଦୁର୍ଗମ ପାହାଡ଼ିଆ ଗ୍ରାମଗୁଡ଼ିକରେ ଯାତାୟାତ ଏକ ବଡ଼ ସମସ୍ୟା ହୋଇ ଦେଖାଦେଇଛି।
ଅତ୍ୟଧିକ ବର୍ଷା ଯୋଗୁଁଁ ପାହାଡ଼ର ମାଟି ଦୁର୍ବଳ ହୋଇ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି। ଅନେକ ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଥିବାରୁ ଯାନବାହନ ଚଳାଚଳ ବନ୍ଦ ହେବା ସହ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି।
ସିକବାଡ଼ି, ଡାଙ୍ଗେସି, ବାନ୍ଦାଙ୍ଗି ଓ କୁମ୍ଭାରଖାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ ଘଟିଥିବା ଜଣାପଡ଼ିଛି। ରାସ୍ତା ଉପରେ ମାଟି ଓ ପଥର ଧସି ପଡ଼ିବା ଫଳରେ ଅଞ୍ଚଳବାସୀଙ୍କ ଯାତାୟାତରେ ବାଧା ଉପୁଜିଛି। ଏହି ରାସ୍ତାଗୁଡ଼ିକ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ମୁଖ୍ୟ ଯୋଗାଯୋଗ ମାଧ୍ୟମ ହୋଇଥିବାରୁ ସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ରାସ୍ତା ଅବରୋଧ ହେବା ଯୋଗୁଁଁ ଜରୁରୀ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଜାରି ରହିଲେ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି।













Leave a Reply