ଗଜପତି ଜିଲାର ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ଜଳସ୍ତର ବୃଦ୍ଧି

ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେତୁ ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀରେ ବନ୍ୟା ଆସିଛି। ସେହିପରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲାର ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ତାହା ହ୍ରାସ ପାଇଛି। ଉତ୍ତର ଓଡ଼ିଶାରେ ବନ୍ୟା ଆସିବା ହେତୁ ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ରବିବାର ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ଜଳସ୍ତର ବିପଦ ସଙ୍କେତ ନିମ୍ନରେ ପ୍ରବାହିତ ହେଉଥିବାବେଳେ ସୁବର୍ଣ୍ଣରେଖା ଏବଂ ଜଳକା ବିପଦ ସଙ୍କେତ ଉପରେ ରହିଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି, ସୁବର୍ଣ୍ଣରେଖା, ବୈତରଣୀ ଓ ବୁଢ଼ାବଳଙ୍ଗରେ ବନ୍ୟାଜଳ
କମୁଥିବା ବେଳେ ଜଳକା ଓ ସାଳନ୍ଦୀ ଯୋଗୁଁ କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ତେବେ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକରେ ବନ୍ୟା ଭୟ ନାହିଁ। ସ୍ଥିତି ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ସଜାଗ ରଖାଯାଇଛି। ନଦୀବନ୍ଧ ଗୁଡ଼ିକରେ ରାତ୍ର ପାଟ୍ରୋଲିଂ କରାଯାଉଛି। ଜଳ ସମ୍ପଦ ବିଭାଗର ତଥ୍ୟାନୁଯାୟୀ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଜଳସ୍ତର ଆନନ୍ଦପୁର ନିକଟରେ ବିପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ୩୫.୮୨ ମିଟରକୁ ଖସିଆସିଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୮.୨୪ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନୁରୂପ ଭାବେ ଆଖୁଆପଦାରେ ବୈତରଣୀ ଜଳ ପତ୍ତନ ହ୍ରାସ ପାଉଛି। ତେବେ ପ୍ରଭାବିତ ଅଞ୍ଚଳରୁ ବନ୍ୟାପାଣି ଛାଡ଼ିନାହିଁ। ପାଣିଘେରରେ ଲୋକେ ଥିବାରୁ ବିପନ୍ନଙ୍କ ଦୁର୍ଦଶା ବଢ଼ିଛି।

Leave a Reply

Your email address will not be published. Required fields are marked *